ଚଣ୍ଡିଗଡ଼: ରାସ୍ତାରେ ଖାଲ ରହିବା ମରଣଯନ୍ତା ସଦୃଶ ହୋଇଥାଏ । ଗାଡିମଟର ଖାଲରେ ପଡି ଛୋଟ ବଡ ଦୁର୍ଘଟଣା ଘଟିଥାଏ । ହେଲେ ଏହି ଖାଲ ଯେ, ଜଣେ ମୃତ ବ୍ୟକ୍ତିଙ୍କୁ ପୁଣି ଜୀବନଦାନ ଦେଇପାରେ, ଏକଥା ଶୁଣିଲେ ହୁଏତ ଆପଣ ବିଶ୍ବାସ କରିବେ ନାହିଁ । କିନ୍ତୁ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିୟାଣାରେ । ଜଣେ ବୃଦ୍ଧଙ୍କୁ ହସ୍ପିଟାଲରେ ମୃତ ଘୋଷିତ କରାଯାଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସରେ ମୃତଦେହ ନେଇ ଅନ୍ତିମ ସଂସ୍କାର ପାଇଁ ଘରକୁ ଫେରୁଥିଲେ । ହେଲେ ବାଟରେ ଆମ୍ବୁଲାନ୍ସର ଚକ ରାସ୍ତାରେ ଥିବା ଏକ ଖାଲରେ ଖସିପଡିଥିଲା । ଏହାପରେ କୌଣସି ଚମତ୍କାର ହେଲା ପରି ଜିଇଁ ଉଠିଥିଲେ ମୃତ ବୃଦ୍ଧ ଜଣକ ।
ଘଟଣାଟି ହେଉଛି ହରିୟାଣା କରନାଲ ଅଞ୍ଚଳର । ଏଠାରେ ରହୁଥିବା 80 ବର୍ଷୀୟ ଦର୍ଶନ ସିଂହ ବ୍ରାରଙ୍କୁ ହୃଦଘାତ ଆସିଥିଲା । ପରିବାର ଲୋତେ ତାଙ୍କୁ ସଙ୍ଗେ ସଙ୍ଗେ ପଟିଆଲାର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଏହାପରେ ଗାଁରେ ତାଙ୍କର ଅନ୍ତିମ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତ କରାଯାଇଥିଲା । ପରିବାର ଲୋକେ ଲୁହ ଭିଜା ଆଖିରେ ହସ୍ପିଟାଲରୁ ଦର୍ଶନ ସିଂହଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ । ତେବେ ବାଟରେ ଆସିବା ବେଳେ ଆମ୍ବୁଲାନ୍ସ ଚକ ରାସ୍ତାରେ ଏକ ଖାଲ ମଧ୍ୟରେ ଖସି ପଡିଥିଲା । ଏହାପରେ ମୃତ ଘୋଷିତ ବୃଦ୍ଧ ନିଜ ହାତ ହଲାଉଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଯାଞ୍ଚ କରିବାକୁ ତାଙ୍କର ନିଶ୍ବାସ ଚାଲୁଥିବାର ଜଣାପଡିଥିଲା ।
ଏହା ମଧ୍ୟ ପଢନ୍ତୁ: ଆଶ୍ଚର୍ଯ୍ୟ ! ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ତାଡି ନେଇଗଲେ
ଏହାଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତରୀ ଟିମ ପୁନର୍ବାର ଯାଞ୍ଚ କରିବାରୁ ଦର୍ଶନ ସିଂହ ବ୍ରାର ଜୀବିତ ଥିବା ଜଣା ପଡିଥିଲା । ବର୍ତ୍ତମାନ ସେ କରନାଲର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ ଡାକ୍ତର ମୃତ ଘୋଷଣା କରିବା ପରେ ବୃଦ୍ଧ ପୁଣି ବଞ୍ଚିଯିବାକୁ ତାଙ୍କର ପରିବାର ଲୋକେ ଭଗବାନଙ୍କ ଚମତ୍କର ବୋଲି କହିଛନ୍ତି । ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ