ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ବଦେଶୀ ଟୀକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ରିପୋର୍ଟ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଭ୍ୟାକ୍ସିନ ଆଣ୍ଟିବଡି ସୃଷ୍ଟି କରିବାରେ ବେଶ ପ୍ରଭାବଶାଳୀ ପ୍ରତୀତ ହୋଇଥିବା ଜଣାପଡିଛି ।
BBV152 ନାଁରେ ଏହି ଭ୍ୟାକ୍ସିନକୁ 2ରୁ 8 ଡିଗ୍ରୀ ସେଲସିୟସରେ ରଖାଯାଇପାରିବ । ଏନେଇ ଦେଶରେ ଏହି ଭ୍ୟାକ୍ସିନ ଉପରେ ଆଶାବ୍ୟକ୍ତ କରିଛନ୍ତି ବୈଜ୍ଞାନିକ । କାରଣ ଫାଇଜର କିମ୍ବା ମୋଡର୍ଣ୍ଣା ଭ୍ୟାକ୍ସିନ ପାଇଁ ତାପମାତ୍ରା ନିୟନ୍ତ୍ରଣ କରିବାର ବ୍ୟବସ୍ଥା ଏକ ପ୍ରକାରର ଚ୍ୟାଲେଞ୍ଜ କୁହାଯାଇପାରେ । ଫାଇଜରକୁ -70 ଡିଗ୍ରୀ ସେଲସିୟସରେ ରଖିବାକୁ ପଡୁଥିବାବେଳେ ମୋଡର୍ଣ୍ଣାକୁ -30 ଡିଗ୍ରୀ ସେଲସିୟସରେ ରଖିବାକୁ ହେବ ।
ଭାରତ ବାୟୋଟେକର ଏହି ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲା, ଯାହାର ପରିଣାମ ଆଜି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଭ୍ୟାକ୍ସିନର ସମୀକ୍ଷା କରିଥିଲେ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଓ ଅଧିକାରୀଙ୍କ ପାଖରୁ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ହାସଲ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବିଶ୍ବ ସାମ୍ନାରେ ନିଜ ଭ୍ୟାକ୍ସିନ ପ୍ରସ୍ତୁତି ଓ ଉତ୍ପାଦନ କ୍ଷମତାର ଏକ ନମୁନା ପ୍ରଦର୍ଶନ କରିଥିଲା ଭାରତ । ଏହି କ୍ରମରେ ପାଖାପାଖି 60ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ବରିଷ୍ଠ ରାଷ୍ଟ୍ରନାୟକ ହାଇଦ୍ରାବାଦର ଭାରତ ବାୟୋଟେକ ଗସ୍ତ କରିଥିଲେ ।