ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ମୋଦି ଆଜି ବାଲେଶ୍ବର ଗସ୍ତ କରିବେ । ସେ ପ୍ରଥମେ ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳକୁ ଯିବେ । ସେଠାରେ ସମୀକ୍ଷା କରିବା ପରେ ଆହତ ଯାତ୍ରୀମାନଙ୍କୁ ଭେଟିବା ପାଇଁ କଟକ ଏସସିବି ମେଡିକାଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ନେଇ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି । ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ଣ 2.30ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ବୋଲି ସୂଚନା ରହିଛି ।
ବର୍ତ୍ତମାନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳମନ୍ତ୍ରୀ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପାଇଁ ଦାୟୀ କିଏ ? କେମିତି ଏତେ ବଡ ଦୁର୍ଘଟଣା ଘଟିଗଲା ତାହାର ଟିକିନିକ ତଦନ୍ତ କରାଯିବ । ଅନ୍ୟପଟେ ଓଡି଼ଶା ଇତିହାସରେ ଏହି ସବୁଠୁ ବଡ ଟ୍ରେନ ଦୁର୍ଘଟଣା କେବଳ ଦେଶକୁ ନେଇ ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ବିଭିନ୍ନ ଦେଶ ପକ୍ଷରୁ ଭାରତ ତଥା ଓଡ଼ିଶାକୁ ଶୋକ ଓ ଆଶ୍ବାସନାର ସୁଅ ଛୁଟୁଛି ।
ଆମେରିକା ସରକାରଙ୍କ ଏସସିଏ ଡିପାର୍ଟମେଣ୍ଟ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନେପାଳ, ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, କାନାଡା, ଋଷିଆ ଇତ୍ୟାଦି ରାଷ୍ଟ୍ର ଟ୍ରେନ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ଓ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ବଗି ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ଏବେସୁଦ୍ଧା ୨୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି ।