ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମର ଅବକାଶ ଭ୍ୟାଲି ପାର୍କରେ ଭାରତ ସରକାରଙ୍କ ଦ୍ୱାରା ‘ସରସ ଅଜୀବିକା ମେଳା’ ଆୟୋଜିତ ହେଉଛି । ଗୁରୁଗ୍ରାମରେ ପ୍ରଥମ ଥର ପାଇଁ ଏପରି ଜାତୀୟ ସ୍ତରରେ ଏହି ମେଳାର ଆୟୋଜନ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ବେସ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି (saras ajjevika stall in gurugram)। ଏହି ମେଳାରେ ନିଜ ପ୍ରସ୍ତୁତ ଷ୍ଟଲ ସହ 27 ଟି ରାଜ୍ୟର ମହିଳା ଓ ପୁରୁଷ କାରୀଗର ଅଂଶଗ୍ରହଣ କରିଛନ୍ତି । ତେବେ ସବୁଠି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲିଟିଛି ଓଡିଶା ଷ୍ଟଲ ।
ଏହି ପ୍ରଦର୍ଶନୀ ମେଳାରେ ପ୍ରତ୍ୟେକ ରାଜ୍ୟରୁ ହସ୍ତତନ୍ତ ଷ୍ଟଲ ସ୍ଥାନ ପାଇଛି । ତେବେ ଏହି ମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଓଡିଶାର ହସ୍ତତନ୍ତ ବସ୍ତ୍ର । ଓଡିଶାର ମହିଳା ହସ୍ତତନ୍ତ୍ର କାରୀଗରଙ୍କ ଦ୍ବାରା ପ୍ରସ୍ତୁତ ହାତବୁଣା ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଏଠାରେ ବିକ୍ରି ଉଦ୍ଦେଶ୍ୟରେ ଉପଲବ୍ଧ ହୋଇଛି । ଓଡିଶାର ORMAS ସହଯୋଗରେ ଏହି ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନେ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।
ପ୍ରତ୍ୟେକ ଶ୍ରେଣୀର ଗ୍ରାହକମାନେ ଓଡ଼ିଶାର ହସ୍ତତନ୍ତ କାରିଗରୀ ପ୍ରତି ଆଗ୍ରହ ଦେଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଆଗକୁ ଦିପାବଳୀ ଆସୁଥିବାରୁ ଘର ସଜ୍ଜା ପାଇଁ ବିଭିନ୍ନ ଉପକରଣ କିଣାକିଣି କରୁଛନ୍ତି ଗ୍ରାହକ । ଏହି ପ୍ରଦର୍ଶନୀ ମେଳା ହସ୍ତତନ୍ତକୁ ଏକ ନୂତନ ପ୍ଲାଟଫର୍ମ ପ୍ରଦାନ କରିଛି । ମହିଳାମାନଙ୍କ ଦ୍ୱାରା ନିର୍ମିତ ସାଜସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣକୁ ଲୋକମାନେ ବହୁତ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ