ଶ୍ରୀନଗର: ଘାଟିରେ ହ୍ରାସ ପାଇବାରେ ଲାଗିଛି ଆତଙ୍କବାଦୀଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଘାଟିରେ ମାତ୍ର 200ରୁ କମ ଆତଙ୍କୀଙ୍କ ଉପସ୍ଥିତି ଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ସେହିପରି ସେମାନଙ୍କ ମଧ୍ୟରେ ମାତ୍ର 100 ରୁ କମ ସ୍ଥାନୀୟ ଆତଙ୍କୀ ରହିଥିବା ବେଳେ ଅନ୍ୟ କିଛି ସୀମା ପାର ତଥା ପାକିସ୍ତାନୀ ଆତଙ୍କୀ ରହିଥିବା ସେ ସୂଚନା ଦେଇଛନ୍ତି । ଏହା ଘାଟି ଇତିହାସରେ ପୋଲିସ ଓ ସୁରକ୍ଷା ବଳକୁୁ ବଡ ସଫଳତା ବୋଲି ଆଇଜିପି ବିଜୟ କହିଛନ୍ତି ।
ଆଇଜିପି ବିଜୟ କହିଛନ୍ତି, ସେନା ଓ ସ୍ଥାନୀୟ ପୋଲିସର ନିୟମିତ ସଫଳ ଅପରେସନ ଫଳରେ ଆତଙ୍କୀ ମାନେ ଘାଟି ଛାଡି ପଳାୟନ ପାଇଁ ବାଧ୍ୟ ହେଉଛନ୍ତି । ଶେଷ ଏନକାଉଣ୍ଟର ପରେ ଘାଟିରେ ପ୍ରାୟ 85/ 86 ସ୍ଥାନୀୟ ଆତଙ୍କୀ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ରହିଥିବା ସେ କହିଛନ୍ତି । ଆଜି ଘାଟିରେ ଦୁଇ ପୃଥକ ଏନକାଉଣ୍ଟରେ 6 ଜଣ ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଥିଲା ସୁରକ୍ଷା ବାହିନୀ । ତେବେ ଆଜିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରେସମିଟ କରିବା ବେଳେ ଗଣମାଧ୍ୟମ ପ୍ରଶ୍ନର ଏହି ବିସ୍ତୃତ ଉତ୍ତର ରଖିଛନ୍ତି ଆଇଜିପି ବିଜୟ କୁମାର ।
ଚଳିତ ବର୍ଷ ଆତଙ୍କୀ ଗତିବିଧି ନେଇ ସେ ସୂଚନା ଦେଇ କହିଛନ୍ତି, 128 ସ୍ଥାନୀୟ ଯୁବକ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ 73 ଜଣଙ୍କୁ ଏନକାଉଣ୍ଟରରେ ନିପାତ କରିବାରେ ସୁରକ୍ଷା ବଳ ସଫଳ ହୋଇଥିବା ବେଳେ ଅନ୍ୟ 16 ଜଣ ଗିରଫ ହୋଇଛନ୍ତି । ଅନ୍ୟ କିଛି ଆତଙ୍କୀ ଏବେ ମଧ୍ୟ ଘାଟିରେ ସକ୍ରୀୟ ରହିଛନ୍ତି । କେବଳ ତଳିତ ମାସ (ଡିସେମ୍ବର)ରେ 24 ଆତଙ୍କୀଙ୍କୁ ଏନକାଉଣ୍ଟରରେ ନିପାତ କରିଛି ସୁରକ୍ଷା ବାହିନୀ । ଏମାନଙ୍କ ମଧ୍ୟରେ 5 ଜଣ ପାକିସ୍ତାନୀ ଆତଙ୍କୀ ମଧ୍ୟ ରହିଥିଲେ।
ସେମାନଙ୍କ ପାଖରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ ହୋଇଛି । ଗୁଇନ୍ଦା ବିଭାଗ ଓ ସୁରକ୍ଷା ବଳର ଗୋଟିଏ ପରେ ଗୋଟିଏ ସଫଳ କାର୍ଯ୍ୟାନୁଷ୍ଠାନ ପରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ହ୍ରାସ ପାଇବା ସହ ଆତଙ୍କୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବା ଆଇଜିପି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ