ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ନଜର ରଖୁଛନ୍ତି ଆତଙ୍କବାଦୀ। ରାଷ୍ଟ୍ରୀୟ ସୁରକ୍ଷାଦାତାଙ୍କ ଟିକନିକ ଖବର ରଖୁଛି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଜୈଶ-ଏ-ମହମ୍ମଦ ସହିତ ଜଡିତ ଆତଙ୍କୀ ହିଦୟତ-ଉଲ୍ଲାହ ମଲିକ ନିକଟରୁ ଏନେଇ ଏକ ଭିଡିଓ ଜବତ କରାଯାଇଛି । ଏହା ପରେ ଡୋଭାଲଙ୍କ ସୁରକ୍ଷାକୁ ବଢାଯିବା ସହ କଡାକଡି କରାଯାଇଛି ।
ଏହି ଭିଡିଓରେ ଡୋଭାଲଙ୍କ କାର୍ଯ୍ୟାଳୟରେ ଆତଙ୍କବାଦୀମାନେ ପଶି ରେକି ଭିଡିଓ ଉତ୍ତୋଳନ କରିଥିଲେ । ଏହି ରେକି ଗତ ବର୍ଷ କରାଯାଇଥିଲା । ମଲିକ ଡୋଭାଲଙ୍କ ଅଫିସ ଓ ଶ୍ରୀନଗରର ଅନ୍ୟ ଅଞ୍ଚଳରେ ଭିଡିଓ ରେକର୍ଡ କରିଥିଲା । ମଲିକ ଏହି ଭିଡିଓ ଗୁଡିକୁ ପାକିସ୍ତାନ ପଠାଇଥିଲା । ଏହା ଜଣାପଡିବା ପରେ ସୁରକ୍ଷା ଏଜେନ୍ସଙ୍କୁ ହାଇ ଆଲର୍ଟ କରାଯାଇଛି । କାଶ୍ମୀରର ସୋପିଆନରେ ରହୁଥିବା ମଲିକକୁ ଗତ 6 ତାରିଖରେ ଗିରଫ କରାଯାଇଥିଲା ।
ସେପଟେ, ଏନେଇ ଏକ ମାମଲା ରୁଜୁ କରାଯାଇଛି । ଜମ୍ମୁର ଗଂୟୋଲ ପୋଲିସ ଥାନାରେ ମଲିକ ବିରୋଧରେ ଧାରା 18 ଓ 20 ଅଧିନରେ ମାମଲା ଦାଏର ହୋଇଛି । ଆତଙ୍କୀ ସଙ୍ଗଠନ ଜୈଶର ଫ୍ରଣ୍ଟ ଗ୍ରୁପ ଲଶ୍କର-ଏ-ମୁସ୍ତଫାର ପ୍ରମୁଖ ଭାବେ ମଲିକ କାମ କରୁଥିଲା ।
ଗୁଇନ୍ଦା ରିପୋର୍ଟ ମୁତବାକ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ କାଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଗୃହମନ୍ତ୍ରଣାଳୟକୁ ମଧ୍ୟ ସୂଚନା ଦିଆଯାଇଛି । ଜମ୍ମୁ-କାଶ୍ମୀରରେ ଜମ୍ମାତ-ଏ-ଇସଲାମୀ ଲଶ୍କର-ଇ-ତୋଇବା, ହିଜବୁଲ ମୁଜାହୁଦ୍ଦିନ ସଙ୍ଗଠନକୁ ପାକିସ୍ତାନ ତାମିଲ ଦେଉଛି । ପାକିସ୍ତାନର ଆଇଏସଆଇ ଏଥିପାଇଁ ସହଯୋଗ କରୁଛି । ଆଇଏସଇ ଏଥପାଇଁ ଦୁବାଇ ଓ ତୁର୍କୀ ରାସ୍ତାରେ ଫଣ୍ଡିଂ କରୁଛି ।