କୋଲକାତା: ଉପନିର୍ବାଚନ ପାଇଁ ବାଜିଛି ବିଗୁଲ । ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷଙ୍କ ଆସିଛି ଏକ ବଡ଼ ବୟାନ । ଏହି ନିର୍ବାଚନରେ ଦିଦିଙ୍କୁ ଶୁଭେନ୍ଦୁ ଅଧିକାରୀ ନୁହେଁ, ବରଂ ବିଜେପିରୁ ଅନ୍ୟ ଜଣେ ପରାଜୟର ଧୂଳି ଚଟାଇବେ ବୋଲି ସେ କହିଛନ୍ତି ।
ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ମାତ ଦେଇଥିଲେ । କିନ୍ତୁ ଏହି ଥର ବିଜେପିରୁ ଅନ୍ୟ ଜଣେ ନେତା ମମତାଙ୍କୁ ନିର୍ବାଚନରୁ ହରାଇବ । ଦିଲ୍ଲୀପ ନିଜ ବୟାନ ଉପରେ ଶତ ପ୍ରତିଶତ ଜୋର ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ସେ ସ୍ପଷ୍ଟ କରିନାହାନ୍ତି । ଏହି ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏଥିଲାଗି ତାରିଖ ଘୋଷଣା ହେବା ପରେ ଉଭୟ ଦଳ ପ୍ରଚାର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଜେପି ଭବାନୀପୁର ପାଇଁ ପ୍ରାର୍ଥୀ ଚୟନ କରିବା ମଧ୍ୟ ଆରମ୍ଭ କରିଛି ।
ଏହାରି ମଧ୍ୟରେ ପୁଣି ଦିଦିଙ୍କୁ ମାତ ଦେବା ପାଇଁ ଶୁଭେନ୍ଦୁ ପ୍ରସ୍ତୁତ ବୋଲି କହିଛନ୍ତି । ଯଦି ଦଳର ସହମତି ରହେ, ତେବେ ପୁଣି ସେ ଆଉ ଏକ ନିର୍ବାଚନ ମଣ୍ଡଳୀରୁ ଦିଦିଙ୍କ ବିପକ୍ଷରେ ଲଢିବା ପାଇଁ କହିଛନ୍ତି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରୁ ଦିଦିଙ୍କ ବିପକ୍ଷରେ ଆଉ ଜଣେ ଟାଣୁଆ ନେତା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯାହାକୁ ଦିଲ୍ଲୀପ ନିଜ ବୟାନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ତେବେ ସେ କହିଛନ୍ତି ଯେ କାହିଁକି ଜଣେ ନେତା ଦିଦିଙ୍କୁ ବାରମ୍ବାର ହରାଇବ । ଦିଦିଙ୍କୁ ପୁଣି ହରାଇବା ପାଇଁ ଦଳ ଆଉ ଏକ ନେତାଙ୍କୁ ଚୟନ କରିବ ବୋଲି ସେ ସୋମବାର ମେଦିନାପୁରରେ ଏକ ଜନସଭାରେ କହିଛନ୍ତି ।
ଏପର୍ଯ୍ୟନ୍ତ କାହିଁକି ବିଜେପି ପ୍ରାର୍ଥୀ ଘୋଷଣା କରିନି, ଯେତେବେଳେ କି TMC ପ୍ରଚାର କାର୍ଯ୍ୟ ଆରମ୍ଭ କରିଲାଣି ପ୍ରଶ୍ନରେ ଦିଲ୍ଲୀପ କହିଛନ୍ତି ଯେ ଟିଏମସି ତାରିଖ ଘୋଷଣାର ବହୁ ପୂର୍ବରୁ ନିଜ ପ୍ରାର୍ଥୀ ଚୟନ କରିସାରିଥିଲା । ବିଜେପି ଖୁବଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ