ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଖବରକୁ ଗୁଜବ ବୋଲି କହିଛନ୍ତି । ଏହା ଏକ ମିଥ୍ୟା ଖବର । ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ୟେଦୁରପ୍ପା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରପ୍ପା ଇସ୍ତଫା ଦେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହାକୁ ଶନିବାର ଖଣ୍ଡନ କରିଛନ୍ତି ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ଗତ ଶୁକ୍ରବାର ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଅଗଷ୍ଟ ମାସରେ ସେ ପୁଣି ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ଦେଇଥିଲେ । ହେଲେ ତାଙ୍କ ବିରୋଧରେ ଏଭଳି ଗୁଜବ ଖବର ମୂଲ୍ୟହୀନ ବୋଲି ସେ କହିଛନ୍ତି ।
ତେବେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବେ । ଏହାସହିତ ମେକେଦାଟୁ ପ୍ରୋଜେକ୍ଟ ସମ୍ବନ୍ଧରେ ସେ ଜଳ ସମ୍ପଦ ମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି । ୟେଦୁରପ୍ପା ଶୁକ୍ରବାର ବେଙ୍ଗାଲୁରୁରେ କିଛି ପରିବାର ସଦସ୍ୟଙ୍କ ସହ ଏକ ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ । ଏହାପରେ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । କ୍ୟାବିନେଟ ପରିବର୍ତ୍ତନକୁ ନେଇ ଉଭୟ ଅଧଘଣ୍ଟା କଥା ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ