ହାଇଦ୍ରାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଉତ୍ତର ଗୁଜୁରାଟ ଆସନରେ କ୍ଲିନ ସ୍ବିପ କରିଛି ବିଜେପି । ଏପରିକି କଂଗ୍ରେସ ଲଗାତାର ବିଜୟ ହାସଲ କରି ଆସୁଥିବା ଅରାବଳି ଓ ବନାସକାନ୍ତା ଜିଲ୍ଲାର ଆସନରେ ମଧ୍ୟ ବିଜେପିର ବିଜୟ ହୋଇଛି । ଏହି କ୍ଷେତ୍ରରେ ବିଜେପି ପାଇଁ ପାରମ୍ପରିକ ଭୋଟ ବ୍ୟାଙ୍କ ରହିଆସିଛି ଚୌଧୁରୀ ସମ୍ପ୍ରଦାୟ । ମାତ୍ର ବିଜେପି ସେମାନଙ୍କ ମୁଖ୍ୟ ଭିପୁଲ ଚୌଧୁରୀଙ୍କୁ ଗିରଫ କରିବା ପରେ ଏହି ଭୋଟ ବ୍ୟାଙ୍କ ପ୍ରଭାବିତ ହୋଇଥିଲା । ହେଲେ ବିଜେପିର ଷ୍ଟ୍ରାଟେଜି ପୁଣି ନିଜ ଭୋଟ ବ୍ୟାଙ୍କକୁ ଫେରି ପାଇଛି । ଉତ୍ତର ଗୁଜୁରାଟରେ କ୍ଲିନ ସ୍ବିପ ଏହାକୁ ସ୍ପଷ୍ଟ କରିଛି ।
ଗୈରିକ ଦଳ କଂଗ୍ରେସର ଖାମ (Kshatriyas, OBCs, Adivasis and Muslims) ଷ୍ଟ୍ରାଟେଜି ଉପରେ ଭାରି ପଡ଼ିଛି । କଂଗ୍ରେସ ଉତ୍ତର ଗୁଜୁରାଟର ଗ୍ରାମୀଣ ଅଞ୍ଚଳରୁ ମୁଖ୍ୟତଃ ଏହି ସମ୍ପ୍ରଦାୟଙ୍କଠୁ ଭୋଟ ଆଶା କରିଥିଲା । ମାତ୍ର ଏଠାରେ ଫୁଟିଛି ପଦ୍ମ । କଂଗ୍ରେସର ହାତ ଛାଡ଼ି ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ଉତ୍ତରାଞ୍ଚଳ ଗୁଜୁରାଟବାସୀ । ଉତ୍ତର ଗୁଜୁରାଟର 32 ଟି ସିଟ ମଧ୍ୟରୁ ୨୪ଟି ବିଜେପି ହାତକୁ ଯାଇଛି । ୨୦୧୭ରେ ବିଜେପି ଏଠାରେ ୧୪ଟି ଆସନ ଜିତିଥିଲା । କଂଗ୍ରେସ ଏଠାରେ ୨୦୧୭ରେ ୧୮ଟି ଆସନ ଜିତିଥିବା ବେଳେ ଏହି ନିର୍ବାଚନରେ ୬ଟି ଆସନ ଜିତିଛି ।
ଲଢେଇରେ ଆରମ୍ଭରୁ ହାରିଥିଲା କଂଗ୍ରେସ
ସାଧାରଣତଃ ଗୁଜୁରାଟ ଏବଂ ବିଶେଷ କରି ଉତ୍ତର ଗୁଜୁରାଟରେ କଂଗ୍ରେସ କମ ପ୍ରଚାର କରିଥିଲା । ତଥାପି କଂଗ୍ରେସ ଶାସକ ବିଜେପିର ପ୍ରଶାସନିକ ତ୍ରୁଟିକୁ ପ୍ରସଙ୍ଗ କରି ଡୋର-ଟୁ-ଡୋର କ୍ୟାମ୍ପନ କରିଥିଲା, ଯାହାକି ଏହି ଅଞ୍ଚଳରେ ଭୋଟ ହାତେଇବାକୁ କଂଗ୍ରେସକୁ ସହାୟକ ହେବ ବୋଲି ବୋଲି ବିଶ୍ବାସ କରାଯାଉଥିଲା । ମାତ୍ର ଏହି ପ୍ରଚାରରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି କଂଗ୍ରେସ ପରାଜୟର ଏକ ପ୍ରମୁଖ କାରଣ ହୋଇପାରେ । ସବୁରି ପରେ ଏଠାରେ ବିଜେପିର ଯାଦୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକାଧିକ ରୋଡ ଶୋ' ଏଠାକାର ଭୋଟରଙ୍କ ବିଶ୍ବାସ ଜିତିବାରେ ସଫଳ ହୋଇଛି ।
କେଉଁ ଜିଲ୍ଲାରେ କେତେ ଆସନ ହାତେଇଛି ବିଜେପି ?
ଅରାବଳି ଜିଲ୍ଲାରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଜିଲ୍ଲାର ୩ଟି ବିଧାନସଭା ଆସନ ଭିଲୋଦା, ମୋଦାସା ଓ ବୟାଦଦରେ ୨୦୧୭ରେ କଂଗ୍ରେସ ବିଜୟ ଲାଭ କରିଥିଲା । ମାତ୍ର ୨୦୨୨ରେ ଏହି ସମସ୍ତ ଆସନରେ ବିଜେପି ବିଜୟୀ ହୋଇଛି । ଏଠାରେ ଅଧିକାଂଶ ଲୋକ ଜୀବିକା ଲାଗି କୃଷି ଉପରେ ନିର୍ଭର କରନ୍ତି । ଫଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ମନ୍ତ୍ର ଭୋଟ ହାତେଇବାରେ ସକ୍ଷମ ହୋଇଛି । ଭିଲୋଦାରେ ଆପ୍ ପ୍ରାର୍ଥୀ ରୁପସିହ୍ନ ଭାଗୋଦା ଓ ବିଜେପିର ପୁନମଚାନ୍ଦଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନ ଫଳାଫଳ ଏହା ସ୍ପଷ୍ଟ କରିଛି ଯେ ବିଜେପି ଆଦିବାସୀ, ଦଳିତ, ପଛୁଆ ବର୍ଗଙ୍କ ଆସ୍ଥା ଭାଜନ ହୋଇପାରିଛି ।
ବନାସକାନ୍ତା ଜିଲ୍ଲାରେ ମୋଟ ୯ଟି ଆସନରେ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନରେ ବିଜୟ ହାସଲ କରିଛନ୍ତି । ଗାନ୍ଧୀନଗର ଜିଲ୍ଲାର ପାଞ୍ଚଟି ଆସନ ମଧ୍ୟରୁ ଶାସକ ବିଜେପି ୨ଟି ଆସନ ହାତେଇଛି । ମେହାସାନା ଜିଲ୍ଲାର ୭ଟି ଆସନରୁ ବିଜେପି ୫ଟିରେ ବିଜୟ ହାସଲ କରିଛି । ମେହସାନାର ଭଦାନଗର ଯାହାକି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ହୋମ ଟାଉନ । ଏଠାରେ କଂଗ୍ରେସ ଲଗାତର ଭାବେ ବିଜୟ ହାସଲ କରୁଥିବା ବେଳେ ଏହି ନିର୍ବାଚନରେ ବିଜେପି ହାତକୁ ଯାଇଛି ଏହି ଆସନ । ପାଟନ ଜିଲ୍ଲାର ମୋଟ ୪ଟି ଆସନ ମଧ୍ୟରୁ ବିଜେପି ୩ଟିରେ ବିଜୟ ହାସଲ କରିଛି । ଅବଶିଷ୍ଟ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଡ. କୀର୍ତ୍ତିକୁମାର ପଟେଲ ବିଜୟ ହାସଲ କରିଛନ୍ତି । ସବାରକାନ୍ତା ଜିଲ୍ଲାର ୪ଟି ଆସନ ମଧ୍ୟରୁ ୩ଟିରେ ବିଜୟ ହାସଲ କରିଛି ବିଜେପି ।
ଗୁଜୁରାଟରେ ସପ୍ତମ ଥର ଲାଗି ଶାସନ କ୍ଷମତା ବଜାୟ ରଖିଛି ଗୈରିକ ଦଳ । ଗୁଜୁରାଟରେ ମୋଟ ୧୮୨ଟି ସିଟରୁ ବିଜେପି ୧୫୬ ଆସନରେ ବମ୍ଫର ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତାକୁ ମାତ୍ର ୧୭ଟି ଆସନ ଯାଇଛି । ସେପଟେ ଆପ୍ ମାତ୍ର ୫ଟି ଆସନରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଛି ।