ଲକ୍ଷ୍ନୌ: ୨୦ ଟଙ୍କା ପାଇଁ ଦୀର୍ଘ ୨୧ ବର୍ଷ ଉପଭୋକ୍ତା ଆୟୋଗ ଦୌଡ଼ିବା ପରେ ରେଳଯାତ୍ରୀଙ୍କୁ ମିଳିଛି ନ୍ୟାୟ । ସେ ତାଙ୍କ ଅର୍ଥ ଫେରି ପାଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ରେଲୱେର ବୁକିଂ କର୍ମଚାରୀ (Booking Clerk North Eastern Railway)ତାଙ୍କଠୁ ଅଧିକ ୨୦ ଟଙ୍କା ନେଇଯିବା ପରେ ଯାତ୍ରୀ (North Eastern Railway passenger) ଜଣକ ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ । ଏହି ଅର୍ଥ ଫେରସ୍ତ ପାଇବା ପାଇଁ ତାଙ୍କୁ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଆୟୋଗ ବୁକିଂ କ୍ଲର୍କକୁ ଦଣ୍ଡିତ କରିଥିବା ମଧ୍ୟ ଜଣାପଡ଼ିଛି ।
ଘଟଣା ହେଉଛି ୨୦୦୧ ଡିସେମ୍ବର ୨୫ ତାରିଖର । ମଥୁରା ହୋଲି ଗେଟ ଅଧିବାସୀ ତୁଙ୍ଗନାଥ ଚତୁର୍ବେଦୀ ଟ୍ରେନରେ ମୁରାଦବାଦ ଯାତ୍ରା କରିଥିଲେ । ତେବେ ଉତ୍ତର ପୂର୍ବାଞ୍ଚଳ ରେଳପଥର ଜଣେ ବୁକିଂ କ୍ଲର୍କ ୨ଟି ଟିକେଟ କରିଥିଲେ । ପ୍ରତି ଟିକେଟର ମୂଲ୍ୟ ୩୫ ଟଙ୍କା ଥିବା ବେଳେ ସେ ବୁକିଂ କ୍ଲର୍କଙ୍କୁ ୧୦୦ ଟଙ୍କା ଦେଇଥିଲେ । ମାତ୍ର ରେଳ କର୍ମଚାରୀ ଜଣକ ୭୦ ଟଙ୍କା ବଦଳରେ ୯୦ ଟଙ୍କା କାଟିଥିଲେ । ଅତିରିକ୍ତ ଭାବେ କାଟିଥିବା ୨୦ ଟଙ୍କା ସେ ଯାତ୍ରୀଙ୍କୁ ଫେରସ୍ତ କରିନଥିଲେ । ଏ ନେଇ ରେଳଯାତ୍ରୀ ଜିଲ୍ଲା ଉପଭୋକ୍ତା ଆୟୋଗ ନିକଟରେ ଅଭିଯୋଗ କରିଥିଲେ ।
ଏହା ବି ପଢନ୍ତୁ- ଖାଦ୍ୟରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କଲା ସ୍ବାମୀ
ତେବେ ସୂଚନା ଅନୁସାରେ ଏହି ମାମଲା ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ଗତ ଅଗଷ୍ଟ ୫ ତାରିଖରେ ରେଳଯାତ୍ରୀଙ୍କ ପକ୍ଷରେ ଆସିଲା ରାୟ । ଆୟୋଗ ଉତ୍ତର ପୂର୍ବାଞ୍ଚଳ ରେଲୱେକୁ ୨୦ ଟଙ୍କା ଅର୍ଥ ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ସୁଧ ଲଗାଇ ଯାତ୍ରୀଙ୍କୁ ଫେରସ୍ତ କରିବା ପାଇଁ କହିଥିଲେ । ଏହା ସହିତ ମାନସିକ କଷ୍ଟ ଲାଗି ୧୫ ହଜାର ଟଙ୍କା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହି ସମସ୍ତ ଅର୍ଥ ଆସନ୍ତା ୧ ମାସ ମଧ୍ୟରେ ଯାତ୍ରୀଙ୍କୁ ଦେବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ଉତ୍ତର ପୂର୍ବାଞ୍ଚଳ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂ କହିଛନ୍ତି ଯେ ଯାତ୍ରୀ ଜଣକ ଉପଭୋକ୍ତା ଆୟୋଗରେ ଅଭିଯୋଗ କରିବା ଅପେକ୍ଷା ରେଲୱେ ବିଭାଗର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ନିଜ ଅର୍ଥ ଫେରସ୍ତ ପାଇପାରିଥାନ୍ତେ । ମାତ୍ର ସେ ଏହା କରିନଥିଲେ । ରେଳ କର୍ତ୍ତୃପକ୍ଷ ଯାତ୍ରୀଙ୍କ ଏହି ନିଷ୍ପତ୍ତି ବିରୋଧରେ ପାଲଟା ଲକ୍ଷ୍ନୌ ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି ।