ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ(MCD) ପରେ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦ ମଧ୍ଯରେ ଆଜି ବଡ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ । କେବଳ ନିର୍ବାଚିତ ପ୍ରତିନିଧିମାନେ ହିଁ ନିଜ ମତାଧିକାର ସାବ୍ୟସ୍ତ କରି ମେୟର ନିର୍ବାଚିତ କରିପାରିବେ ବୋଲି ସର୍ବୋଚ୍ଚ କୋର୍ଟ ରାୟରେ ପ୍ରକାଶ କରିଛନ୍ତି ।
ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା । ଏହା ସମ୍ବିଧାନରେ ଅତ୍ୟନ୍ତ ସ୍ପଷ୍ଟ ଯେ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଆଜି ମାମଲାର ଶୁଣାଣି ସ୍ଥଗିତ ରହିଥିବା ବେଳେ ଶୁକ୍ରବାର ଏହାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।
ଦିଲ୍ଲୀ ମହାନଗର ନିର୍ବାଚନ (ଏମସିଡି)ରେ ଶାସନରେ ଥିବା ଆମ ଆଦମୀ ପାର୍ଟିକୁ ଦୀର୍ଘ ବର୍ଷ ପରେ ବହୁମତ ମିଳିଛି । 15 ବର୍ଷ ପରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇ ଆପ ବହୁମତ ହାସଲ କରିଛି । ଆମ ଆଦମୀ ପାର୍ଟିକୁ 134ଟି ଆସନ ମିଳିଥିବା ବେଳେ 104 ଟି ଆସନ ବିଜେପି ଖାତାକୁ ଯାଇଛି । ହେଲେ ମେୟର ନିର୍ବାଚନ ପାଇଁ ଆପ-ବିଜେପି ମଧ୍ୟରେ ବିବାଦ ଲାଗିରହିଛି । ଏକାଧିକ ଥର ଭୋଟିଂ ପାଇଁ ତାରିଖ ସ୍ଥିର ହୋଇ ମଧ୍ୟ ହଟ୍ଟଗୋଳ ଯୋଗୁ ତାହା ହୋଇପାରିନାହିଁ । ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଯାହାକୁ ନେଇ ଆଜି ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରିବା ସହ ଶୁକ୍ରବାର ପରବର୍ତ୍ତୀ ଶୁଣାଣି କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ