ନୂଆଦିଲ୍ଲୀ: ଆଜି ମାଟିରେ ମିଶିବ ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର । ଏଥିପାଇଁ ହାତରେ ମାତ୍ର କେତେ ଘଣ୍ଟା ଥିବା ବେଳେ ସଫଳତାର ସହ ଏହି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତେବେ କେମିତି ହେବ ଏହି ବିଶାଳ ଟ୍ୱିନ୍ ଟାୱାର ଧ୍ବଂସ ପ୍ରକ୍ରିୟା । କିପରି ପ୍ରଭାବିତ ନହେବେ ସ୍ଥାନୀୟ ସାଧାରଣ ବାସିନ୍ଦା ଓ ପରିବେଶ । କୌଣସି ଅଘଟଣ କିମ୍ବା ଧନ ଜୀବନ ହାନୀକୁ ସମ୍ପୂର୍ଣ୍ଣ ଏଡାଇ ଏହି କଂକ୍ରିଟ ପାହଡକୁ ସମୂଳେ ମାଟିରେ ମିଶାଇବା ପାଇଁ ବୈଷୟିକ ତଥା ପ୍ରାଶାସନିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି ।
ଦେଶରେ ପ୍ରଥମ ଥର ପାଇଁ ଏପରି ସୁଉଚ୍ଚ ଅଟ୍ଟାଳିକାକୁ ସମ୍ପୂର୍ଣ୍ଣ ନୂତନ ତଥା ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଭାଙ୍ଗାଯିବାକୁ ଯାଉଛି । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର 93A ରେ ଅବସ୍ଥିତ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ଏହି ଅଟ୍ଟାଳିକାକୁ ଭାଙ୍ଗିବାର ଦାୟିତ୍ବ ଏକ ଇଞ୍ଜିନିୟରିଂ କମ୍ପାନୀକୁ ଦେଇଛନ୍ତି ସରକାର । ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇ)ଏହାର ଭଙ୍ଗ ନେଇ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର (NOC) ପ୍ରଦାନ କରିବା ପରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ପରେ ସର୍ବୋଚ୍ଚ କୋର୍ଟଙ୍କ ସବୁଜ ସଙ୍କେତ ଏହାକୁ ଭାଙ୍ଗି ମାଟିରେ ମିଶାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକି ଆଜି ବାସ୍ତବତାର ରୂପ ନେବାକୁ ଯାଉଛି ।
କିପରି ବ୍ୟବସ୍ଥା କରିଛି ପ୍ରଶାସନ:-
ଆଜି(28 ଅଗଷ୍ଟ ରବିବାର) ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କିଛି ଦୂର ପର୍ଯ୍ୟନ୍ତ ସମସ୍ତ ସାଧାରଣ ଗତିବିଧି ସାମୟିକ ଭାବେ ବନ୍ଦ ରହିବ । ଉତ୍ତରରେ ଏମେରାଲ୍ଡ କୋର୍ଟ ରୋଡ, ଦକ୍ଷିଣରେ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ୍ସପ୍ରେସ-ୱେର ସର୍ଭିସ ରାସ୍ତା, ପୂର୍ବରେ ଶ୍ରୀସ୍ତି ଏବଂ ଏଟିଏସ୍ ଗ୍ରାମ ମଧ୍ୟରେ ନିର୍ମିତ ରାସ୍ତା ଏବଂ ପାର୍କରେ ପାର୍କ ସହିତ ସଂଯୁକ୍ତ ଫ୍ଲାଏ ଓଭର ପାଇଁ ଏକ୍ସକ୍ଲୁସନ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ-ୱେରେ ଟ୍ରାଫିକ୍ ଅପରାହ୍ନ 2.15 ରୁ 2.45 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପାଇଁ ଆବଶ୍ୟକ ଅଗ୍ନିଶମ ବାହନୀ, ଆମ୍ବୁଲାନ୍ସ ଇତ୍ୟାଦି ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ସହତି ରଖାଯିବା ନେଇ ବ୍ୟବସ୍ଥା ରହିଛି ।
ବିସ୍ଫୋରଣ ପରେ ସମ୍ଭାବ୍ୟ କମ୍ପନକୁ ନେଇ ସରିଛି ଅନୁଧ୍ୟାନ:-
ଅଟ୍ଟାଳିକା ପଡିଲା ବେଳେ ନିକଟବର୍ତ୍ତୀ ସ୍ଥାନରେ କେତେ ମାତ୍ରାରେ କମ୍ପନ ସୃଷ୍ଟି ହେବ, ସେ ନେଇ ଏକ ସର୍ଭେ ମଧ୍ୟ ଶେଷ ହୋଇସାରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣ ଓ ପରେ ଅଟ୍ଟାଳିକା ଧରାସାୟୀ ହେବା ବେଳେ ସମୟରେ ସର୍ବାଧିକ କମ୍ପନ ସେକେଣ୍ଡ ପ୍ରତି 34 ମିଲିମିଟର ହୋଇପାରେ । ସେହିପରି ଏହି ବିସ୍ଫୋରଣ ପାଇଁ ବ୍ୟବହୃତ ହେବାକୁ ଥିବା ରିମୋର୍ଟ ପ୍ରାୟ ୧୫୦ ମିଟର ଦୂରରେ ରଖାଯିବ । ସମସ୍ତ ପ୍ରକ୍ରିୟା ଶେଷ କରାଯିବା ପରେ ରିମୋର୍ଟ ଦବାଇବା କ୍ଷଣି ପୂର୍ବ ନିର୍ଦ୍ଧାରିତ ଭାବେ ଏହି ବିସ୍ଫୋରଣ ହେବ, ଏବଂ ଏହି ଦୁଇଟି ଅଟ୍ଟାଳିକ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ ।
ଧୂଳି ଓ ପ୍ରଦୂଷଣ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା:-
ବିସ୍ଫୋରଣ ପରେ କଂକ୍ରିଟ ଧ୍ବଂସାବଶେଷରୁ ପ୍ରବଳ ଧୂଳି ସୃଷ୍ଟି ହେବା ସହ ଖଣ୍ଡବିଖଣ୍ଡିତ ଆବର୍ଜନା କାରଣରୁ ନିକଟବର୍ତ୍ତୀ ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି । ସେଥିପ୍ରତି ମଧ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ଶେଷ ହୋଇଛି । ଆବର୍ଜନା ଏବଂ ଧୂଳି ପ୍ରବେଶ ନକରିବା ପାଇଁ 30 ମିଟର ଉଚ୍ଚ ଲୁହା ସିଟ୍ ଲଗାଯାଇଛି । ଘଟଣାସ୍ଥଳରେ 6 ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣ ପାଇଁ ରିମୋଟର ବଟନ୍ ଦବାଇବେ । ବିଲ୍ଡିଂରେ ବିସ୍ଫୋରଣ ସମୟରେ ନିକଟସ୍ଥ ସମସ୍ତ ରାସ୍ତାରେ 30 ମିନିଟ୍ ପର୍ଯ୍ୟନ୍ତ ଟ୍ରାଫିକ୍ ଅବରୋଧ କରାଯିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ