ଚେନ୍ନାଇ: ତାମିଲନାଡୁର କୁଡାଲୋର(Tamil Nadu's Cuddalore) ଅଞ୍ଚଳରେ ଅଭାବନୀୟ ଘଟଣା । ଶାଶୁଘରେ ଶୌଚାଳୟ ନଥିବାରୁ ଆତ୍ମହତ୍ୟା କଲେ 27 ବର୍ଷୀୟା ନବବଧୂ । ମଙ୍ଗଳବାର ରମ୍ୟା ନାମକ ଜଣେ ନବବଧୂ ଶୌଚାଳୟ ପାଇଁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଶୌଚାଳୟ ପାଇଁ ନବବଧୂ ଘର ଛାଡି ଚାଲିଯିବା ଘଟଣା ପୂର୍ବରୁ ସମସ୍ତେ ଜାଣିଥିବାବେଳେ ଶୌଚାଳୟ ନଥିବାରୁ ଆତ୍ମହତ୍ୟା କରିବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାହା ସୂଚନା ରହିଛି, ରମ୍ୟା ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି । ସେ କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କ ସହ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କରେ ରହିଥିଲେ । ଏପ୍ରିଲ 6 ତାରିଖରେ କାର୍ତ୍ତିକେୟନଙ୍କ ସହ ତାଙ୍କର ବିବାହ ହୋଇଥିଲା । ସ୍ବାମୀଙ୍କ ଘରେ ଶୌଚାଳୟ ନଥିବାରୁ ରମ୍ୟା ବିବାହର ପରଦିନ ନିଜ ବାପଘରକୁ ଚାଲି ଆସିଥିଲେ ଏବଂ ସେଠାରେ ହିଁ ରହୁଥିଲେ । କାର୍ତ୍ତିକେୟନ ଖୁବ୍ଶୀଘ୍ର ଏକ ଭଡାଘର ଖୋଜିଦେବେ ବୋଲି ରମ୍ୟାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ କୌଣସି ଭଡା ଘର ଖୋଜି ପାଇନଥିଲେ କି ଘରେ ଶୌଚାଳୟ ତିଆରି କରିବା ଦିଗରେ କିଛି ପଦକ୍ଷେପ ନେଇନଥିଲେ । ଯାହାକୁ ନେଇ ରମ୍ୟା ଗତକାଲି(ମଙ୍ଗଳବାର) ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ମାଆ ପଡୋଶୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ରମ୍ୟାଙ୍କ ମାଆ ନିଜ ଜ୍ବାଇଁଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ