ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ମୈଦାନକୁ ଓହ୍ଲାଇବ ନାହିଁ କଂଗ୍ରେସ ବରଂ ଦଳୀୟ ସାମଗ୍ରିକ ନେତୃତ୍ବ ନେଇ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚେଷ୍ଟା କରିବ । ଗତକାଲି କର୍ଣ୍ଣାଟକ ନେତାଙ୍କ ସହ ଦିଲ୍ଲୀରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଏହି ନିର୍ଣ୍ଣୟରେ ପହଞ୍ଚିଛି ।
କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର, ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ରାଜ୍ୟ କଂଗ୍ରେସର ବହୁ ପ୍ରମୁଖ ନେତା ଗତକାଲି ରାହୁଲ ଗାନ୍ଧୀଙ୍କ ବାସଭବନରେ ଆଲୋଚନା କରିଥିଲେ । ରାଜ୍ୟ ପ୍ରଭାରୀ ରଣଦ୍ବୀପ ସୂର୍ଯେଓ୍ବାଲା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ନେଇ ଦଳ କ’ଣ ରଣନୀତି ସ୍ଥିର କରିବା ତାକୁ ନେଇ ଆଲୋଚନା ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ନିର୍ବାଚନ ଲଢିବା ପରିବର୍ତ୍ତେ ସାମୂହିକ ନେତୃତ୍ୱ ସହ ଆଗକୁ ବଢିବା ଦଳ ପାଇଁ ଲାଭଦାୟକ ହେବା ନେଇ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି ।
ବର୍ତ୍ତମାନ ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ । କଂଗ୍ରେସ କ୍ଷମତାକୁ ଆସିବା ପାଇଁ ଏବେ ଠାରୁ ରଣନୀତି ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ପରିବର୍ତ୍ତେ ଦଳର ସାମୁହିକ ନେତୃତ୍ବ ନିର୍ବାଚନରେ ସଠିକ କାର୍ଯ୍ୟ କରିବ ବୋଲି ଆଶା କରୁଛି ଦଳ । ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୈତିକ ଉଷ୍ଣତା ମଧ୍ୟ ବଢିବାରେ ଲାଗିଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ