କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡିରେ ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଏକାଧିକ ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ 10 ହଜାର ଲୋକ । ହେଲେ ସେମାନେ ଭାରତୀୟ ସୀମାରେ ବାସ କରନ୍ତି, ହେଲେ ଏକାଧିକ ମାପଦଣ୍ଡରେ ସେମାନେ ଭାରତୀୟ ନୁହନ୍ତି । ବିଶେଷ କରି ସାମାଜିକ ଅଧିକାରର କଥା ଆସିଲେ ଏମାନେ ଦେଶର ଅନ୍ୟ ନାଗରିକଙ୍କଠାରୁ ପଛରେ । ଏହି ଗ୍ରାମଗୁଡିକ ଦେଶର ରାଜସ୍ବ ମାନଚିତ୍ରରେ ନାହିଁ । ଏହାର କାରଣ ଦୁଇ ଦେଶ ମଧ୍ୟରେ ଥିବା ଜମି ସୀମା ବିବାଦ ଓ ସମାଧାନ ଚୁକ୍ତିନାମା ପ୍ରକ୍ରିୟା ।
ରାସନ କାର୍ଡରେ ନାଁରେ ଅଛି, ମାନଚିତ୍ରରେ ଗାଁ ନାହିଁ
ଏମାନଙ୍କ ନିକଟରେ ଭୋଟର କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡ ପରି ପ୍ରମୁଖ ସରକାରୀ ପ୍ରମାଣପତ୍ର ମଧ୍ୟ ରହିଛି । ସେମାନେ ସେମାନଙ୍କ ଜନପ୍ରତିନିଧି ମଧ୍ୟ ନିର୍ବାଚିତ କରିପାରୁଛନ୍ତି । ହେଲେ ସେମାନେ ବସବାସ କରୁଥିବା ଜମି ସେମାନଙ୍କ ନୁହେଁ । ସେମାନେ ଏହାକୁ ବିକ୍ରି କରିପାରିବେ ନାହିଁ, କି କ୍ରୟ ମଧ୍ୟ କରିପାରିବେ ନାହିଁ । 2015ରେ ଭାରତ ବାଂଲାଦେଶ ପରିକ୍ଷେତ୍ର ବିନିମୟ (ଏନକ୍ଲେଭ ଏକ୍ସଚେଞ୍ଜ୍) ବେଳେ ଦକ୍ଷିଣ ବେରୁବାରୀ ଗ୍ରାମ ପଞ୍ଚାୟତର ଏହି 5 ଗ୍ରାମ କାଜାଲଡି, ଚିଲାହାଟି, ବରାଶାଶି, ନାଭାତାରିଡେବଟର ଏବଂ ପାଦନୀ ଭାରତୀୟ ଅଞ୍ଚଳ ହୋଇଥିବା ଦର୍ଶାଯାଇଥିଲା । କିନ୍ତୁ ଦେଶର ରାଜସ୍ବ ମାନଚିତ୍ରରେ ଏହି ଗ୍ରାମ ସମ୍ପର୍କରେ କୌଣସି ରେକର୍ଡ ନାହିଁ ।
ଦକ୍ଷିଣ ବେରୁବରୀ ଅଞ୍ଚଳ ବିବାଦ
ଏହି ସମସ୍ୟା ସ୍ବାଧୀନତା ପରବର୍ତ୍ତୀ ସ୍ଥିତିରେ ଆରମ୍ଭ ହୋଇଥିଲା । ସେତେବେଳେ ପାକିସ୍ତାନ ଦାବି କରିଥିଲା ଯେ ଦକ୍ଷିଣ ବେରୁବରୀ ଅଞ୍ଚଳ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ଅଂଶ ହେବା ଉଚିତ୍ । ପାକିସ୍ତାନର ଏହି ଦାବି ବେରୁବାରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସେପ୍ଟେମ୍ବର 1958 ପ୍ରାରମ୍ଭରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଫିରୋଜ ଖାନ ନୁନ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ଏହି ଆଲୋଚନା ସମାଧାନ ବାହାର କରିବା ପରିବର୍ତ୍ତେ ମାମଲାକୁ ଅଧିକ ଜଟିଳ କରିଥିବାର କୁହାଯାଏ ।
1958ରେ ନେହେରୁ-ନୁନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଦକ୍ଷିଣ ବେରୁବାରୀ ଅଞ୍ଚଳ ଭାରତ ଏବଂ ପୂର୍ବ-ପାକିସ୍ତାନ ମଧ୍ୟରେ ବିଭକ୍ତ ହେବ । ତେବେ ଏହି ଚୁକ୍ତିନାମାକୁ ଦକ୍ଷିଣ ବେରୁବାରୀ ବାସିନ୍ଦା ବିରୋଧ କରିଥିଲେ । 1958 ମସିହାରେ ପରିକ୍ଷେତ୍ର ବିନିମୟ(ଏନକ୍ଲେଭ ଏକ୍ସଚେଞ୍ଜ) ପ୍ରକ୍ରିୟା ସ୍ଥଗିତ ରହିବା ସହ ମାମଲା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା । ଭାରତ ସରକାର 1960ରେ ସମ୍ବିଧାନର 9ମ ସଂଶୋଧନରେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । 1962 ମସିହାରେ ଚୀନ-ଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । 1964 ରେ ନେହେରୁଙ୍କ ମୃତ୍ୟୁ ଏବଂ 1965ରେ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଅନେକ ଘଟଣାବଳି ଏହି ପ୍ରକ୍ରିୟାକୁ ବିଳମ୍ବ କରିଥିଲା ।
70 ବର୍ଷ ପରେ ସୁଧୁରିନି ସ୍ଥିତି
ଅନେକ ଦଶନ୍ଧି ଧରି ଭାରତ-ବାଂଲାଦେଶ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସୀମା ସମସ୍ୟାରେ ପ୍ରଭାବିତ ହେବା ପରି ଦେଖାଯାଉଥିଲା । ଏହି ବିବାଦର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ସୀମାବର୍ତ୍ତୀ କିଛି ଭାରତୀୟ ଅଞ୍ଚଳ, ପଡୋଶୀ ବାଂଲାଦେଶ ସୀମା ସଂଲଗ୍ନ ରହିଥିଲା । ଏହି ସମସ୍ୟା ଏହି କ୍ଷେତ୍ରଗୁଡିକରେ ପ୍ରଶାସନିକ ନିୟନ୍ତ୍ରଣକୁ ମଧ୍ୟ ବିଳମ୍ବ ଓ ଅପହଞ୍ଚ କରିବାରେ ଲାଗିଲା । ଫଲରେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ନିଜ ରାଜ୍ୟଠାରୁ ପ୍ରଶାସନିକ ଓ ରାଜସ୍ବ ଭାବେ ବିଛିନ୍ନ ହେବା ପରି ନଜର ଆସିବାକୁ ଲାଗିଲେ । ପ୍ରାୟ 70ବର୍ଷ ଧରି ଏପର୍ଯ୍ୟନ୍ତ ମଧ୍ୟ ଏପରି ସ୍ଥିତି ଲାଗି ରହିଛି ।
ମିଳିନି ସମ୍ପୂର୍ଣ୍ଣ ରାଜସ୍ୱ ଅଧିକାର
2015ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ଶେଖ ହସିନାଙ୍କ ମଧ୍ୟରେ ସୀମା ଚୁକ୍ତିନାମା ଓ ବିବାଦକୁ ସମାଧାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ଏଥିରେ ଏନକ୍ଲେଭ ବିନିମୟ (ପରିକ୍ଷେତ୍ର ବିନିମୟ) ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିଲା । ଭାରତ 17,160.63 ପରିମିତ 111 ଏନକ୍ଲେଭ (କ୍ଷେତ୍ର ବା ଅଞ୍ଚଳ ) ବାଂଲାଦେଶକୁ ହସ୍ତାନ୍ତର କରିବା ସହ ବାଲାଂଦେଶ ମଧ୍ୟ 7,110.02 ପରିମିତ ଅଞ୍ଚଳର 51 ଏନକ୍ଲେଭ ଭାରତକୁ ହସ୍ତାନ୍ତର କରିଥିଲା । ହେଲେ ଏହି କ୍ଷେତ୍ରର ବାସିନ୍ଦାଙ୍କୁ ଭାରତ କିମ୍ବା ବାଂଲାଦେଶର ନାଗରିକତ୍ୱ ବାଛିବା ପାଇଁ ବିକଳ୍ପ ଦିଆଯାଇଥିଲା । କିନ୍ତୁ ଏହି ପାଞ୍ଚଟି ଗାଁର ଭାଗ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇପାରିନି । ଯଦିଓ ଏହି ଅଞ୍ଚଳବାସୀଙ୍କୁ ଭାରତୀୟ ସୀମା ମଧ୍ୟରେ ରହିବାକୁ ଅନୁମତି ମିଳିଛି, ହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଅଧିକାର ମଧ୍ୟ ମିଳିନି ।
ଏହା ମଧ୍ୟ ପଢନ୍ତୁ:- ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ଏହି ସମସ୍ୟା ଏବେ 5 ଖଣ୍ଡର 10,000 ଲୋକଙ୍କୁ ପ୍ରଭାବିତ କରିଛି । ଏଥିମଧ୍ୟରୁ 8,000 ପଞ୍ଜିକୃତ ଭୋଟର ଅଛନ୍ତି । ଫରୱାର୍ଡ ବ୍ଲକର ପୂର୍ବତନ ବିଧାୟକ ତଥା ଚିଲହାଟିର ବାସିନ୍ଦା ଗୋବିନ୍ଦ ରୟ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେ ଆବଶ୍ୟକ ଜମିଜମା ଦଲିଲ ନଥିବା କାରଣରୁ ସ୍ଥାନୀୟ ଲୋକମାନେ ସରକାରଙ୍କ ଚାଷ ସମ୍ବନ୍ଧୀୟ ଯୋଜନାର ଲାଭ ଉଠାଇପାରୁନଥିବା ବେଳ ଅନ୍ୟ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ