ନୂଆଦିଲ୍ଲୀ: MBBS ପଢିବାକୁ ପାକିସ୍ତାନ ଯାଉଛନ୍ତି କି ? ଯିବା ପୂର୍ବରୁ ଥରେ ଭାବନ୍ତୁ । ଛାତ୍ରଛାତ୍ରୀଙ୍କୁ ମେଡିକାଲ ପଢିବା ପାଇଁ ପାକିସ୍ତାନ ନଯିବାକୁ ପରାମର୍ଶ ଦେଇଛି ମେଡିକାଲ କମିଶନ (NMC) । ପାକିସ୍ତାନ କଲେଜ ଦ୍ବାରା ଦିଆଯାଉଥିବା ଡିଗ୍ରୀ ଭାରତରେ ମୂଲ୍ୟହୀନ ବୋଲି କୁହାଯାଇଛି । ତେଣୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଏଆଇସିଟିଇ(AICTE) ଚେତାବନୀ ପରେ NMC ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।
NMC ପକ୍ଷରୁ ଏକ ବିବୃତ୍ତି ଜାରିକରି କୁହାଯାଇଛି ଯେ, ପାକିସ୍ତାନରେ ଏମବିବିଏସ ଏବଂ ବିଡିଏସ କରିଥିବା ଛାତ୍ରଛାତ୍ରୀ ଭାରତରେ ଏଫଏମଜିଇ ଦେଇପାରିବେ ନାହିଁ କିମ୍ବା ନିଯୁକ୍ତି ପାଇପାରିବେ ନାହିଁ । ପାକିସ୍ତାନରେ ଉଚ୍ଚଶିକ୍ଷା କିମ୍ବା ମେଡିକାଲ ଡିଗ୍ରୀ ହାସଲ କରିଥିବା ପ୍ରବାସୀ ଏବଂ ଛାତ୍ରଛାତ୍ରୀ ଦେଶରେ ଏଫଏମଜିଇ କିମ୍ବା ଏନଇଏକ୍ସଟି ଦେଇପାରିବେ ଏବଂ ନିଯୁକ୍ତି ପାଇପାରିବେ । ଏଥିପାଇଁ ସେମାନଙ୍କୁ ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଠାରୁ ସୁରକ୍ଷା ମଞ୍ଜୁରି ନେବାକୁ ପଡିବ ।
ଅନ୍ୟପଟେ ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ବାରା ନାଗରିକତ୍ବ ପ୍ରାପ୍ତ ପ୍ରବାସୀ ଅବା ସେମାନଙ୍କ ପିଲାମାନେ MHA ରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ । ଏନେଇ ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ପୂର୍ବରୁ କିଛି ଦିନ ତଳେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ( UGC) ଏବଂ ଏଆଇସିଟିଇ(AICTE) ସମାନ ବିଜ୍ଞପ୍ତି ଜାରି କରିଥିଲେ ।