ନୂଆଦିଲ୍ଲୀ: ଜେଡି(ୟୁ)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲଲନ ସିଂ । ଆରସିପି ସିଂ ଇସ୍ତଫା ଦେବା ପରେ ଲାଲ ସିଂଙ୍କୁ ଶନିବାର ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଛି ।
ଆରସିପି ସିଂ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିବାବେଳେ ମୋଦି ସରକାର ସମ୍ପ୍ରସାରଣରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ସୁଯୋଗ । ପରେ ସେ ସାଙ୍ଗଠନିକ ସଭାପତିତ୍ବରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଶନିବାର ସେ ତାଙ୍କ ଦାୟିତ୍ବରୁ ଇସ୍ତଫା ଦେଇଥିବାବେଳେ ନୂତନ ଅଧ୍ଯକ୍ଷ ଚୟନ ଆରମ୍ଭ ହୋଇଥିଲା । ଅନ୍ୟପଟେ ବିହାରର ମୁଙ୍ଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ତଥା ଦଳର ବରିଷ୍ଠ ନେତା ଲଲନ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବେଶ ଘନିଷ୍ଠ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।
ଶନିବାର ବସିଥିବା ଦଳୀୟ କାର୍ଯ୍ୟକାରିଣୀ ବୈଠକରେ, ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ, ଦଳର ସାଂସଦ, ରାଜ୍ୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଲଲନ ସିଂଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ପାଟନାସ୍ଥିତ ଜେଡି(ୟୁ) କାର୍ଯ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ