ପାଟଣା: ବିହାର ରାଜନୀତି ସ୍ଥିତି ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବିଜେପିକୁ ଅଧା ରାସ୍ତାରେ ଛାଡିଦେଲେ ନୀତିଶ କୁମାର । ନିଜ ବ୍ୟବସ୍ଥା ନିଜେ କରି ଏନଡିଏରୁ ଓହରି ଗଲେ ବିହାରୀ ବାବୁ ନୀତିଶ କୁମାର (Nitish Kumar) । 2020 ରେ ମିଳିଥିବା ଜନାଦେଶକୁ ପ୍ରତ୍ୟାଖାନ କରି ମହାମେଣ୍ଟ ସାହାରା ନେଇଛନ୍ତି ନୀତିଶ । ବିଜେପି ନେତୃତ୍ବାଧୀନ ଏନଡିଏ ଛାଡିବା ପରେ ଏବେ ଆରଜେଡି ସହଯୋଗରେ ନୂଆ ସରକାରର ନେତୃତ୍ବ ନେବେ ନୀତିଶ । ତେବେ ଆଜି ଘଟିଥିବା ଘଟଣା ବିହାରୀଙ୍କ ପାଇଁ ନୂଆ ନୁହେଁ । କି ବିହାର ରାଜନୀତିରେ ପ୍ରଥମଥର ନୁହେଁ । ଇତିହାସ କହୁଛି ଗତ 22 ବର୍ଷରେ ଦୁଇ ଦୁଇ ଥର ଏଭଳି ବିଜେପିକୁ ଛାଡିଛନ୍ତି ନୀତିଶ । ଆଉ ସବୁଠାରୁ ମଜାଦାର କଥା ହେଉଛି ନୀତିଶ କୁମାର ଏଭଳି ନିଷ୍ପତ୍ତି ସେତେବେଳେ ନିଅନ୍ତି ଯେତେବେଳେ, କୌଣସି ନା କୌଣସି ନିର୍ବାଚନ ନିକଟ ଭବିଷ୍ୟତରେ ଥାଏ ।
ନୀତିଶଙ୍କ ନିଷ୍ପତ୍ତି ଓ ସମୟ...
ଦେଶରେ ସାଧାରଣ ନିର୍ବାଚନ ପାଇଁ 2014 ରେ ବିଗୁଲ ବାଜି ସାରିଥାଏ । ଗୈରିକ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା ଘୋଷଣା କରିସାରିଥାଏ । ଏହାକୁ ବିରୋଧ କରି ଏନଡିଏର ଅନ୍ୟତମ ଭରସାଯୋଗ୍ୟ ସହଯୋଗୀ ଥିବା ନୀତିଶ କୁମାରଙ୍କ ଜେଡି(ୟୁ) 17 ବର୍ଷର ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରି ଗଲା । 2015 ବିହାର ବିଧାନସଭା ନିର୍ବାଚନରେ ବି ଆରଜେଡି- ଜେଡି(ୟୁ) ମିଳିତ ଭାବେ ନିର୍ବାଚନ ଲଢିଥିଲେ । ଆରଜେଡି ସର୍ବବୃହତ ଦଳର ମାନ୍ୟତା ପାଇଥିଲା । ଏହା ସତ୍ବେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେଲେ । ହେଲେ ଏହି ମେଣ୍ଟ ପୁରା କାର୍ଯ୍ୟକାଳ ପୂର୍ଣ୍ଣ କରିପାରିନଥିଲା । 2017 ଜୁଲାଇରେ ନୀତିଶ ମେଣ୍ଟ ଭାଙ୍ଗି ପୁଣି ଏନଡିଏକୁ ଫେରି ଆସିଥିଲେ । ଏହା ସହ ବିଜେପି ସହ ପୁଣି ସରକାର ଗଠନ କରିଥିଲେ ।
2005 ରେ ବିଜେପି-ଜେଡି(ୟୁ) ସରକାର ବିହାରରେ ସରକାର ଗଠନ କରିଥିଲା । ହେଲେ 2012 ରାଷ୍ଟ୍ରପତି ନିର୍ବାଚନ ବେଳେ ମେଣ୍ଟରେ ଥାଇ ମଧ୍ୟ ନୀତିଶ ବିରୋଧୀ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । ଅର୍ଥାତ ନୀତିଶ ଯେବେ ବି କୌଣସି ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନେଇଥାନ୍ତି ।
ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟ...
ପ୍ରଥମଥର ନୀତିଶ କୁମାର 3 ମାର୍ଚ୍ଚ 2000 ରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଆବଶ୍ୟକ ବହୁମତ ନଥିବାରୁ 7 ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡିଥିଲା । 2005 ନିର୍ବାଚନରେ ବିଜେପି ସହିତ ପୁଣି ଏକାଠି ନିର୍ବାଚନ ଲଢିଲେ । ନିର୍ବାଚନରେ ବିପୁଳ ବିଜୟ ପରେ ଦ୍ବିତୀୟ ଥର ପାଇଁ 24 ନଭେମ୍ବର 2005 ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2010 ନିର୍ବାଚନରେ ଏନଡିଏ ଜବରଦସ୍ତ ପ୍ରଦର୍ଶନ କରିବା ସହ 206 ଆସନରେ ବିଜୟୀ ହୋଇଥିଲା । ତୃତୀୟ ଥର ପାଇଁ 26 ନଭେମ୍ବର 2010 ରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର । ହେଲେ କାର୍ଯ୍ୟକାଳ ଶେଷ ହୋଇନଥିବା ବେଳେ 2014 ରେ ମୋଦିଙ୍କୁ ବିରୋଧ କରି ଏନଡିଏରୁ ବାହାରିଯାଇଥିଲେ ନୀତିଶ । ଆଉ ଆରଜେଡି ସହ ମେଣ୍ଟ କରି ଶାସନ କଲେ । ହେଲେ 2014 ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଉ ଜୀତନ ରାମ ମାଞ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ହେଲେ କିଛି ମାସ ପରେ ଜିତନ ଇସ୍ତଫା ଦେବା ପରେ ପୁଣି ଥରେ ନୀତିଶ କୁମାର 22 ଫେବୃୟାରୀ 2015 ରେ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ କାର୍ଯ୍ୟକାଳ ଶେଷ କରିଥିଲେ । ସେହି ବର୍ଷ ନଭେମ୍ବରରେ ହୋଇଥିବା ନିର୍ବାଚନରେ ଆରଜେଡି ସହ ମେଣ୍ଟ କରି ନିର୍ବାଚନ ଲଢିଥିଲେ । ଆଉ 20 ନଭେମ୍ବର 2015 ରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ବର୍ଷ 2017 ରେ ଆରଜେଡି ସହ ମତଭେଦ କାରଣରୁ ଇସ୍ତଫା ଦେଇଥିଲେ । ଆଉ ବିଜେପି ସହ ପୁଣି ଥରେ ମେଣ୍ଟ କରିଥିଲେ । ଆଉ ଷଷ୍ଠ ଥର ପାଇଁ 27 ଜୁଲାଇ 2017 ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2020 ବିଧାନସଭା ନିର୍ବାଚନ ଏନଡିଏ ସହ ମିଳିତ ଭାବେ ଲଢିଥିଲେ । ନିର୍ବାଚନରେ ଜେଡିୟୁ କମ ଆସନ ପାଇଥିଲେ ମଧ୍ୟ ବିଜେପି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । 16 ନଭେମ୍ବର 2020 ରେ ନୀତିଶ କୁମାର ସପ୍ତମ ଥର ପାଇଁ ଶପଥ ନେଇ ଆଜି ଯାଏଁ ଶାସନ କରୁଥିଲେ ।