ପାଟନା: ସହଯୋଗୀ ବିଜେପିକୁ ଅଣଦେଖା କରି ଜାତିଭିତ୍ତିକ ଜନଗଣନା (caste census) ସପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଖୁବଶୀଘ୍ର ଏନେଇ ନୀତିଶ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ମତାମତ ସଂଗ୍ରହ ପାଇଁ 27 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଏହି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିବା ବେଳେ ସରକାର ମଧ୍ୟ ଏହି ଦିଗରେ ସ୍ବର ମିଳାଇଥିବା ଦେଖିବାକୁ ମିଳିଛି । ତେବେ ନୀତିଶଙ୍କ ଏପରି ନିଷ୍ପତ୍ତି ସହଯୋଗୀ ବିଜେପିକୁ ନୂଆ ଝଟକା ଦେଇଛି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନିତୀଶ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ମତାମତ ପାଇଁ ଚଳିତ 27 ତାରିଖରେ ରାଜ୍ୟରେ ସର୍ବଦଳୀୟ ବୈଠକ ଡାକାଯାଇଛି । ଏହି ବୈଠକରେ ସଂଗୃହୀତ ମତାମତ ଆଧାରରେ କ୍ୟାବିନେଟ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରାଯିବ । କ୍ୟାବିନେଟରେ ଚୂଡାନ୍ତ ନିଷ୍ପତ୍ତି ପରେ ଜାତିଭିତ୍ତିକ ଜନଗଣନା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିବେ ।
ତେବେ ଏହି ଜାତିଭିତ୍ତିକ ଜନଗଣନା (caste census) ଦାବି କରି ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପାଟନାରୁ ଦିଲ୍ଲୀ ଶୋଭାଯାତ୍ରା ବାହାର କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ତେବେ ନିତୀଶ ମଧ୍ୟ ତେଜସ୍ବୀଙ୍କୁ ଭେଟିବା ସହ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏବେ ନୀତିଶ ମଧ୍ୟ ଉକ୍ତ ପ୍ରସଙ୍ଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ