ରାୟପୁର: ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ବଡ ବୟାନ ଦେଇଛନ୍ତି । ଛତିଶଗଡ ରାୟପୁରରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ହତ୍ୟା କରିଥିବା କଥାରେ ମୁଁ ସହମତ ନୁହେଁ । ଗଡସେ ଅତ୍ୟନ୍ତ ବ୍ୟଥିତ ଥିଲେ । ଯେତେବେଳେ ସେ ଗାନ୍ଧୀଜୀଙ୍କୁ ହତ୍ୟା କରିବାକୁ ଚିନ୍ତା କଲେ ସେତେବେଳେ ଭାବି ନେଇଥିଲେ ଯେ ସେ ମଧ୍ୟ ମରି ଯାଇଛନ୍ତି । ଏହି କଥାର ପ୍ରମାଣ ମୋ ପାଖରେ ଅଛି ବୋଲି କହିଛନ୍ତି ଜଗତଗୁରୁ ।
ଶଙ୍କରାଚାର୍ଯ୍ୟ କହିଛନ୍ତି, ''ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ନେଇ ନାଥୁରାମ ଗଡସେ ମଧ୍ୟ ଦୁଃଖିତ ଥିଲେ । ତାଙ୍କର ଆଚରଣ ବଦଳି ଯାଇଥିଲା । ଗଡସେ କୋର୍ଟରେ ଦେଇଥିବା ବୟାନରେ ସେ ଏହି ଘଟଣା ପରେ କେତେ ବିଚଳିତ ଥିଲେ ତାହା ଜଣାପଡୁଥିଲା । ଏହାର ପ୍ରମାଣ ମୁଁ ଦେଖାଇ ପାରିବି । ଏ ସମ୍ପର୍କରେ ଏକ ପୁସ୍ତକରେ ଲିଖିତ ଅଛି, ଯାହାକୁ ବ୍ୟାନ କରାଯାଇଛି । ପୁସ୍ତକରେ ଗଡସେଙ୍କ ବକ୍ତବ୍ୟ ପଢିବା ପରେ ଆପଣ ପ୍ରଭାବିତ ନହୋଇ ରହି ପାରିବେନି ।'' ତେବେ ଉକ୍ତ ପୁସ୍ତକର ଦୁଇଟି କପି ବୃନ୍ଦାବନ ଓ ପୁରୀରେ ଥିବା ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ।
ଗଡସେ ଯେତେବେଳେ ଗାନ୍ଧୀଜୀଙ୍କୁ ମାରିବାକୁ ବିଚାର କଲେ, ସେ ବି ଦିନେ ମରିବେ ବୋଲି ସେହି ସମୟରେ ଭାବି ସାରିଥିଲେ । ସେ ସ୍ବଂୟ କହିଥିଲେ ଯେ, ସେ ମରିଯିବେ ଏବଂ ତାଙ୍କୁ ଫାଶୀଦଣ୍ଡ ମିଳିବ । ସେ ମହାତ୍ମା ଗାନ୍ଧୀଙ୍କୁ ଏଥିପାଇଁ ମାରିଲେ କାରଣ ବାପୁ ଅଧିକ ସମୟ ଜୀବିତ ରହିବା ଦେଶର ହିତ ପାଇଁ ଠିକ୍ ନଥିଲା । ବାପୁଙ୍କ ଆଦର୍ଶବାଦ ଦେଶ ପାଇଁ ଲାଭଦାୟକ ହେବ ନାହିଁ । ତାଙ୍କର ଅସ୍ଥିତ୍ବ ଦେଶ ପାଇଁ ଭଲ ଅପେକ୍ଷା ଅଧିକ କ୍ଷତିକାରକ ହେବ ବୋଲି ସେ ଜାଣିଥିଲେ ।
ଶଙ୍କରାଚାର୍ଯ୍ୟ ଧର୍ମାନ୍ତରଣ ପ୍ରସଙ୍ଗରେ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଦିଗହରା ଶାସନ ବ୍ୟବସ୍ଥା ଯୋଗୁଁ ହିନ୍ଦୁଙ୍କୁ ଧର୍ମାନ୍ତରିତ କରାଯାଉଛି । ସେବା ନାଁରେ ସଂଖ୍ୟାଲଘୁ ତିଆରି କାର୍ଯ୍ୟ କରାଯାଉଛି । ରାଜ୍ୟ ହେଉ ଅବା କେନ୍ଦ୍ରର ଦିଗହରା ଶାସନ ପାଇଁ ହିଁ ଧର୍ମାନ୍ତରଣ ହେଉଛି । ତେବେ ସେ କଂଗ୍ରେସ କିମ୍ବା ବିଜେପି ଦଳର ନୁହେଁ । ଏଥିରେ ତାଙ୍କୁ ଟାଣିବା ଅନୁଚିତ୍ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ