ମୁମ୍ବାଇ: ଆଖି ବୁଜିଲା ମୁମ୍ବାଇ ଦୁଷ୍କର୍ମ ପୀଡିତା । ଗତକାଲି(ଶୁକ୍ରବାର) ମୁମ୍ବାଇରେ ଘଟିଥିବା ଦୁଷ୍କର୍ମ ମାମଲାର ପୀଡିତା ଆଜି(ଶନିବାର) ଆଖି ବୁଜିଛି । ମୁମ୍ବାଇରେ ପୁନରାବୃତ୍ତି ହୋଇଥିବା ନିର୍ଭୟା ମାମଲା ଶେଷରେ ମୃତ୍ୟୁରେ ହିଁ ଶେଷ ହୋଇଛି । ରଜୱାଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳଛି ।
ଦୁଷ୍କର୍ମର ୨୪ ଘଣ୍ଟା ପରେ ମୃତ୍ୟୁ ସହ ସଙ୍ଘର୍ଷ କରି ଶେଷରେ ଆଖି ବୁଜିଛି ପୀଡିତା । ଅତ୍ୟଧିକ ରକ୍ତସ୍ରାବ ଫଳରେ ମୃତ୍ୟୁ ଘଟିଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଦୁଷ୍କର୍ମ ସମୟର ସିସିଟିଭି ଫୁଟେଜ ଲାଗିଛି ପୋଲିସ ହାତରେ । ଅଭିଯୁକ୍ତ ପୀଡିତାଙ୍କୁ ଏକ ଟ୍ରକ ପଛପଟେ ହତ୍ୟାକରି ଫିଙ୍ଗି ଦେଉଥିବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ତେବେ ମାମଲାଟି ୨୦୧୨ ଦିଲ୍ଲୀ ଦୁଷ୍କର୍ମ ମାମଲାଠୁ କିଛି କମ୍ ନୁହେଁ । ଆଇନ ଶୃଙ୍ଖଳା, ସୁରକ୍ଷା ବ୍ୟବସ୍ଥା ଯେତେ କଡାକଡି ହେଲେ ମଧ୍ୟ ଅସାମାଜିକ କାର୍ଯ୍ୟରୁ ଲିପ୍ତ ହେଉନାହାନ୍ତି କେତେକ ପିସାଚ ।
ଦିଲ୍ଲୀ ଦୁଷ୍କର୍ମକାରୀଙ୍କୁ ଫାଶି ଦିଆଯିବା ପରେ ମଧ୍ୟ ଠିକ୍ ଦିଲ୍ଲୀ ପରି କାଣ୍ଡ ଭିଆଇଛି ମୁମ୍ବାଇ ମାମଲାର ଅଭିଯୁକ୍ତ । ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ଗଣେଶ ପୂଜା ଥିବା ସମୟରେ ବାଣିଜ୍ୟ ନଗର ମୁମ୍ବାଇରୁ ଦିଲ୍ଲୀ ନିର୍ଭୟା ଭଳି ଛାତିଥରା ଘଟଣା ସାମ୍ନାକୁ ଆସିଥିଲା । ଜଣେ ମହିଳାଙ୍କ ସହ ଦୁଷ୍କର୍ମ ପରେ ପଶୁଠୁ ହୀନ ବ୍ୟବହାର କରିଛି ଦୁଷ୍କର୍ମକାରୀ । ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଇଥିବା ଜଣାପଡିଛି । ମୁମ୍ବାଇର ସାକୀ ନାକା ଅଞ୍ଚଳରେ ଘଟିଛି ଏହି ଘଟଣା ।
କୈରାନୀ ରୋଡରେ ଜଣେ ୩୦ ବର୍ଷୀୟ ଯୁବତୀଙ୍କ ସହ ଘଟିଛି ଏପରି ହୀନ ଘଟଣା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ