ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ପ୍ରଦୂଷଣ । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ସମନ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ନଭେମ୍ବର ୧୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେବାକୁ ହେବ । ଏହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ବର୍ତ୍ତମାନ ଦିଲ୍ଲୀରେ ପ୍ରଦୂଷଣ ଅତି ସାଂଘାତିକ ସ୍ତରରେ ରହିଛି । ଶୁକ୍ରବାର ସକାଳ ୯ଟା ୩୦ ସୁଦ୍ଧା ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ୪୨୬ ରହିଥିଲା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ନେଇ ସୂଚନା ଦେଇଛି । ଯେକୌଣସି ସ୍ଥାନରେ ବାୟୁ ମାନ ସୂଚକାଙ୍କ ୪୦୦ରୁ ଅଧିକ ରହିଥାଏ, ସେଠାକାର ଲୋକେ ନାନା ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ି ପାରନ୍ତି । ଲୋକେ ସ୍ବାଶକ୍ରିୟାରେ ସମସ୍ୟା ଭୋଗୁଛନ୍ତି ।
ଦିଲ୍ଲୀ ତଥା ଏହାର ପଡ଼ୋଶୀ ରାଜ୍ୟରେ ଚାଷୀମାନେ ନଡ଼ା ଜଳିବା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ମୁଖ୍ୟତଃ ନୂଆଦିଲ୍ଲୀ ଓ ଦିଲ୍ଲୀ NCRରେ ଦେଖିବାକୁ ମିଳିଛି । ଦିଲ୍ଲୀର ପ୍ରଦୂଷଣ ପ୍ରତିବର୍ଷ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରି ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ମଗ ଟୱାର୍ସ(Smog Towers) ଓ ଆଣ୍ଟି ସ୍ମଗ୍ ଗନ୍ସ(Anti Smog Guns) ସ୍ଥାପନ କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ କେତେ ସ୍ମଗ୍ ଟାୱାର୍ସ ଓ ଆଣ୍ଟି ସ୍ମଗ ଗନ୍ସ କାର୍ଯ୍ୟକ୍ଷମ ଅଛି ତାହାର ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ସେହିପରି ନଡ଼ା ପରିଚାଳନା ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି NHRC ।
ସମୟ ସମୟରେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମାନବାଧିକାର କମିଶନ । ଦିଲ୍ଲୀ NCRରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଏହାର କାରଣ ହେଉଛି ପଡ଼ୋଶୀ ରାଜ୍ୟରେ ଚାଷୀ ଜଳାଉଥିବା ନଡ଼ା । ଧାନ ଅମଳ ପରେ ବଳକା ଥିବା ନଡ଼ାକୁ ଜମିରେ ଜାଳୁଛନ୍ତି ଚାଷୀ । ଏହାର ବିକଳ୍ପ ବ୍ୟବସ୍ଥା ନଥିବାରୁ ଚାଷୀ ଏହା କରିବାକୁ ବାଧ୍ୟ ହେଉଥିବା କଥା କହିଛନ୍ତି । ସେପଟେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଡିଜେଲ ଚାଳିତ କମର୍ସିଆଲ ଟ୍ରକ ଚଳାଚଳ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ ଓ ସିଏନଜି କିମ୍ବା ଇଲେକ୍ଟ୍ରିକ ପରିଚାଳିତ ହେଉଥିବା ଗାଡିଗୁଡିକୁ ଦିଲ୍ଲୀ ରାସ୍ତାରେ ଯାତାୟତ ପାଇଁ ଅନୁମତି ମିଳିବ ।
ପଡୋଶୀ ରାଷ୍ଟ୍ରରେ ନଡା ଜଳିବା କାରଣରୁ ଧୂଆଁ ଓ ଯାନବାହାନରୁ ନିର୍ଗତ ଧୂଆଁ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଛି । ତା ସହିତ ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଆସନ୍ତାକାଲି ଠାରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ୍ଗୁଡ଼ିକ ବନ୍ଦ ଘୋଷଣା କରଯାଇଛି । ପୁଣି ଅନଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି ସରକାର । ସେହିପରି ପଞ୍ଚମ ଶ୍ରେଣୀ ତଥା ତାଠାରୁ ଊର୍ଦ୍ଧ୍ବ ଶ୍ରେଣୀ ପିଲାଙ୍କ ସଭା ତଥା ବାହ୍ୟ କାର୍ଯ୍ୟକଳାପକୁ ବନ୍ଦ କରାଯାଇଛି ।