ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣାଧୀନ ନୂତନ ସଂସଦ ବିଲ୍ଡିଂ ଚଳିତ ମାସ ଶେଷ ସୁଦ୍ଧା ଲୋକାର୍ପିତ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଲୋକାର୍ପିତ କରିବା ନେଇ ସୂଚନା ମିଳିଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ସାରିଛି । ଏବେ ଏଥିରେ ଇଣ୍ଟରିଅର ଡିଜାଇନର କାମ ଜାରି ରହିଛି । ଚଳିତ ମାସରେ ମୋଦି ସରକାରଙ୍କ 9 ବର୍ଷ ପୂରଣ ହେଉଛି ଓ ଏହି ଅବସରରେ ଏହାକୁ ଲୋକାର୍ପିତ କରାଯାଇପାରେ । 2014 ସାଧାରଣ ନିର୍ବାଚନରେ ଏକକ ବହୁମତ ପରେ ମେ’ 26 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ବ ଗ୍ରହଣ କରିଥିଲେ ।
ଏହି 4 ମହଲା ବିଶିଷ୍ଟ ଭବ୍ୟ ସୌଧର ନିର୍ମାଣ ପାଇଁ ମୋଟ 970 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଏକକାଳୀନ 1,224 ସାଂସଦଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା ରହିଛି । ସେହିପରି ଏକ ଗ୍ରାଣ୍ଡ ସାମ୍ବିଧାନ ପ୍ରେକ୍ଷାଳୟ ମଧ୍ୟ ରହିଛି । ଏଥିରେ ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରତିଫଳିତ ହେବ । ସେହିପରି ଅଧିବେଶନ ଗୃହ ବ୍ୟତୀତ ଅନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ରହିଛି । ସାଂସଦଙ୍କ ପାଇଁ ଡାଇନିଂ ଓ ପାର୍କିର ବ୍ୟବସ୍ଥା ମଧ୍ୟ ଏହି ବିଲ୍ଡିଂ ପରିସରରେ ରଖାଯାଇଛି ।
ଉଭୟ ଗୃହରେ କାର୍ଯ୍ୟରତ ଷ୍ଟାଫଙ୍କ ପାଇଁ ମଧ୍ୟ ନୂତନ ଡ୍ରେସକୋଡର ବ୍ୟବସ୍ଥା କରାଯିବ । ଏହି ଡ୍ରେସକୋଡ ଜାତୀୟ ଫ୍ୟାସନ ଟେକ୍ନୋଲୋଜି ପ୍ରତିଷ୍ଠାନ (NIFT) ଦ୍ବାରା ଡିଜାଇନ କରାଯାଇଛି । ଏହି ବିଶାଳ ଅଟ୍ଟାଳିକାରେ 3ଟି ପ୍ରବେଶ ପଥ ରହିଛି । ଏଗୁଡିକ ପାରମ୍ପରିକ ଭାବେ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ଭାବେ ନାମକରଣ କରାଯାଇଛି । ସାଂସଦ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଲାଗି ଭିନ୍ନ ଭିନ୍ନ ପ୍ରବେଶ ପଥର ବ୍ୟବହାର ହେବ ।
2020 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏବେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ କେବଳ ଶେଷ ସ୍ପର୍ଷ କାର୍ଯ୍ୟ ଜାରି ରହିଛି । ମୋଦି ସରକାରର 9 ବର୍ଷ ପୂର୍ତ୍ତି ଅବସରରେ ଏହାକୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଲୋକାର୍ପିତ କରିବେ ବୋଲି ସୂଚନା ମିଳିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଏହି ବିଲ୍ଡିଂ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେଠାରେ କାର୍ଯ୍ୟରତ ଅଧିକାରୀ ଓ ଯନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ । ଚଳିତମାସ ଶେଷ ସପ୍ତାହରେ ହେବା ନେଇ ସୂତ୍ରରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ