ନୂଆଦିଲ୍ଲୀ: ବଦଳିଲା ସଂସଦ କର୍ମଚାରୀଙ୍କ ୟୁନିଫର୍ମ । ୧୮ରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଅଧିବେଶନରୁ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି(NIFT) ପକ୍ଷରୁ ଏହାକୁ ଡିଜାଇନ କରାଯାଇଛି । ବ୍ୟୁରୋକ୍ରାଟମାନେ ପୂର୍ବରୁ ପିନ୍ଧୁଥିବା 'ବନ୍ଧଗଳା' ସୁଟ୍ ବଦଳରେ ମେଜେଣ୍ଟା ବା ଗାଢ ଗୋଲାପୀ ରଙ୍ଗର ନେହେରୁ ଜ୍ୟାକେଟ ସହ ସମାନ ରଙ୍ଗର ସାର୍ଟ ପିନ୍ଧିବେ । ଏଥିରେ ପଦ୍ମ ଫୁଲ ଡିଜାଇନ ରହିବ । ଗୋଲାପୀ ଜ୍ୟାକେଟ ଓ ସାର୍ଟ ସହ ସେମାନେ ଖାକି ରଙ୍ଗର ପ୍ୟାଣ୍ଟ ପିନ୍ଧିବେ । ଏହି ନୂଆ ଡ୍ରେସ ବାଚସ୍ପତିଙ୍କ ସାମ୍ନାରେ ବସୁଥିବା କର୍ମଚାରୀମାନେ ମଧ୍ୟ ପରିଧାନ କରିବେ ।
ସଂସଦର ଦୁଇଟି ଯାକ ଗୃହର ମାର୍ଶଲମାନଙ୍କ ଡ୍ରେସ କୋଡ ମଧ୍ୟ ବଦଳିବ । ସେମାନେ ମଣିପୁରୀ ପଗଡ଼ି ସହ ନଜର ଆସିବେ । ସଂସଦ ଭିତରେ ସୁରକ୍ଷାକର୍ମୀମାନେ ସଫାରି ସୁଟ୍ ବଦଳରେ ସେନା ଭଳି କ୍ୟାମଫ୍ଲେଜ ଡ୍ରେସ ପରିଧାନ କରିବେ । ତେବେ ସଂସଦ କର୍ମଚାରୀଙ୍କର ନୂତନ ୟୁନିଫର୍ମରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିରୋଧୀ ଦଳ ନେତାମାନେ ନୂତନ ୟୁନିଫର୍ମ ଉପରେ ଆପତ୍ତି ଉଠାଇଛନ୍ତି । କେନ୍ଦ୍ରର ବିଜେପି ସରକାର ଉଦ୍ଦେଶ୍ୟମୂଳକ ଭାବେ ନିଜର ଦଳୀୟ ଚିହ୍ନ ଥିବା ୟୁନିଫର୍ମ ଆଣିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏହାମଧ୍ୟ ପଢନ୍ତୁ: ADR Report: ଦେଶର ୩୦୬ ସାଂସଦଙ୍କ ନାଁରେ ଅପରାଧିକ ମାମଲା
କଂଗ୍ରେସ ଲୋକସଭା ସାଂସଦ ମଣିକମ ଟାଗୋର କହିଛନ୍ତି ଯେ, ନୂଆ ୟୁନିଫର୍ମରେ କାହିଁକି ପଦ୍ମଫୁଲ ପ୍ରିଣ୍ଟ ହେଲା ? କ'ଣ ପାଇଁ ଜାତୀୟ ପକ୍ଷୀ ମୟୂର କିମ୍ବା ଜାତୀୟ ପଶୁ ବାଘ ଚିତ୍ର ପ୍ରିଣ୍ଟ କରାଗଲାନି ? ହେଲେ ସେମାନେ ପଦ୍ମ ଫୁଲକୁ ବାଛିଲେ କାରଣ ଏହା ବିଜେପିର ନିର୍ବାଚନୀ ଚିହ୍ନ । ସଂସଦ ସବୁ ଦଳ ଉପରେ । କିନ୍ତୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାର୍ କାହିଁକି ଏତେ ତଳକୁ ଖସିଗଲେ ? ବିଜେପି ସବୁ କ୍ଷେତ୍ରରେ ଅଯଥା ହସ୍ତକ୍ଷେପ ପଡୁଛି ବୋଲି ଏଥିରୁ ବୁଝାପଡିଛି ବୋଲି ସେ 'ଏକ୍ସ'ରେ ପୋଷ୍ଟ କରିଛନ୍ତି ।
କଂଗ୍ରେସ ନେତା ରଶିଦ ଅଲ୍ଲବୀ କହିଛନ୍ତି, ଯଦି ଡ୍ରେସକୋଡ ବଦଳିଲା ତାହାହେଲେ କାହିଁକି ନୂଆ ଡ୍ରେସକୋର୍ଡରେ ପଦ୍ମଫୁଲ ପ୍ରିଣ୍ଟ ରହିଲା । କାହିଁକି ବିଜେପି ସରକାର ପୁରା ଦେଶକୁ ଗେରୁଆ ରଙ୍ଗରେ ବଦଳାଇବାକୁ ଚାହୁଁଛନ୍ତି ? ଆରଜେଡି ନେତା ମନୋଜ ଝା ମଧ୍ୟ ଏଥିରେ ଆପତ୍ତି ଉଠାଇ କହିଛନ୍ତି, ଗଣତନ୍ତ୍ରର ପ୍ରତିନିଧିତ୍ବ କରୁଥିବା ସଂସଦରେ ଏଜେଣ୍ଡା ରାଜନୀତି ଚଳାଇବା ଭୁଲ୍ । ସରକାର ସଂସଦ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ନିଜ ଦଳର ଡ୍ରେସ ପିନ୍ଧାଇବାକୁ ଚେଷ୍ଟା କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୧୮ରୁ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଅଧିବେଶନ ପୁରୁଣା ସଂସଦ ଭବନରେ ବସିବ । ଦ୍ବିତୀୟ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୯ରେ ଗଣେଶ ଚତୁର୍ଥୀ ଦିନ ନୂଆ ସଂସଦ ଭବନରେ ପୂଜା ହେବା ପରେ ସେଠାରେ ଗୃହକାର୍ଯ୍ୟ ଆରମ୍ଭ ହେବ । ତେବେ କେନ୍ଦ୍ର ସରକାର ହଠାତ୍ ଏପରି ସ୍ବତନ୍ତ୍ର ଅଧିବେଶନ ଡାକିବାର ଏଜେଣ୍ଡା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।