ନୂଆଦିଲ୍ଲୀ: କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢ଼ି ବଢ଼ି ଚାଲିଛି । ଯାହା କାରଣରୁ ଚଳିତ ବର୍ଷ NEET-PG ପରୀକ୍ଷାକୁ ଚାରି ମାସ ଘୁଞ୍ଚାଇ ଦିଆଯାଇଛି । ଏନେଇ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହାସହ କୋରୋନା ମହାମାରୀ ସହ ଯୁଦ୍ଧ କରୁଥିବା ଯେଉଁ କର୍ମଚାରୀ 100 ଦିନ ପୁରା କରି ସାରିଛନ୍ତି ସେମାନଙ୍କୁ ନିୟମିତ ନିଯୁକ୍ତି ସମୟରେ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ଅଗଷ୍ଟ 31, 2021 ପୂର୍ବରୁ ନିଟ- ସ୍ନାତକୋତ୍ତର ପରୀକ୍ଷା ହେବ ନାହିଁ । ଏହାସହ କୋଭିଡ଼ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିଜ ବିଭାଗର ଦେଖାରେଖା କରିବା ପାଇଁ ମେଡ଼ିକାଲ ଇଣ୍ଟର୍ନ କୋଭିଡ ପରିଚାଳନା କର୍ତ୍ତବ୍ୟରେ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଏମବିବିଏସର ଅନ୍ତିମ ବର୍ଷର ଛାତ୍ରଙ୍କୁ ନିଜ ବିଭାଗର ଦେଖାରେଖା ପାଇଁ ଟେଲିକନ୍ସଲଟେସନ ଓ କୋଭିଡ-19 ର ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ନିରିକ୍ଷଣ ପାଇଁ ନିୟୋଜିତ କରାଯିବ । ପିଏମଓ ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ଡାକ୍ତର ଓ ନର୍ସଙ୍କ ଦେଖାରେଖା ରେ ବିଏସସି କିମ୍ବା ଜିଏନଏମର ଯୋଗ୍ୟତା ଥିବା ନର୍ସମାନଙ୍କୁ ପୂର୍ଣ୍ଣକାଳୀନ କୋଭିଡ଼ ନର୍ସିଂ ପାଇଁ ନିଯୁକ୍ତ କରାଯିବ ।
କୋଭିଡ ସହ ସମ୍ପୃକ୍ତ ଡ୍ୟୁଟି କରିବାର 100 ଦିନ ପୁରା କରୁଥିବା କର୍ମଚାରୀଙ୍କୁ ‘ପ୍ରଧାନମନ୍ତ୍ରୀ କୋଭିଡ ରାଷ୍ଟ୍ରୀୟ ସେବା ସମ୍ମାନ’ ପ୍ରଦାନ କରାଯିବ ବୋଲି ମଧ୍ୟ ପିଏମଓ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ