ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସହଯୋଗୀ ଦଳର ନେତାଙ୍କ ଉପସ୍ଥିତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଓଡିଶା ବିଜେପିର 11ଜଣ ବିଧାୟକ ଓ ରାଜ୍ୟ କ୍ୟାବିନେଟର 2 ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ନାମାଙ୍କନ ସମୟରେ ଉପସ୍ଥିତ ରହିଥିଲେ।
4ଟି ସେଟରେ ନାମାଙ୍କନ ଭରିଛନ୍ତି ଦ୍ରୌପଦୀ ମୁର୍ମୁ । ପ୍ରତି ସେଟରେ60 ଜଣ ପ୍ରସ୍ତାବକ ଓ 60 ଅନୁମୋଦକ ରହିଛନ୍ତି । ପ୍ରଥମ ସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବକ ଓ ରାଜନାଥ ସିଂ ଅନୁମୋଦକ ରହିଛନ୍ତି । ସେହିପରି ପ୍ରଥମ ସେଟରେ ବିଜେପି ସଂସଦୀୟ ବୋର୍ଡ ସଦସ୍ୟ ଓ କେନ୍ଦ୍ର-ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଦ୍ବିତୀୟ ସେଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପ୍ପି ନଡ୍ଡା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ସାମିଲ । ଚତୁର୍ଥ ସେଟରେ ଗୁଜୁରାଟ ବିଧାୟକ ପ୍ରସ୍ତାବକ ଓ ଅନୁମୋଦକ ।
ଓଡ଼ିଶା ଭବନରୁ ଦ୍ରୌପଦୀ ମୁର୍ମୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଂସଦ ଭବନରେ ପହଞ୍ଚିଥିଲେ । ସଂସଦ ଭବନ ପରିସରରେ ତାଙ୍କୁ ବିଭିନ୍ନ ଦଳର ନେତାମାନେ ସ୍ୱାଗତ କରିଥିଲେ। ପ୍ରଥମେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରି ନାମାଙ୍କନ ପାଇଁ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟମାନଙ୍କ ସହ ସଂସଦ ହଲରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ।
ଏନଡିଏ ସମେତ ବିଜେଡି ଓ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିବେ । ସେହିପରି ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାର ରେକର୍ଡ କରିବେ । ଅନ୍ୟପଟେ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ଆସନ୍ତା ୨୭ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ଏନସିପି, ଶିବସେନା ଓ ଆରଜେଡି ଭଳି ବିଜେପି ବିରୋଧୀ ଦଳଗୁଡ଼ିକ ସମର୍ଥନ କରୁଛନ୍ତି ।