ଜୟପୁର: ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ଗୁରୁମନ୍ତ୍ରୀ ଭାବେ ଭାଜପାର ମନ୍ତ୍ର- ସବ୍କା, ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ବାଣ୍ଟିଛନ୍ତି ମୋଦି । BJP ନେତୃତ୍ୱାଧୀନ NDA ସରକାର ୮ ବର୍ଷ ହେଲାଣି ଦେଶର ସାମଗ୍ରୀକ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି । ୨୦୧୪ ପରେ ସରକାରୀ କାର୍ଯ୍ୟକଳାପକୁ ନେଇ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି । ବର୍ତ୍ତମାନ ଦେଶର ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରିଛି । ତେଣୁ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେଠୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେ ଆହୁରି କହିଛନ୍ତି, "ଚଳିତ ମାସରେ ଏନଡିଏ ସରକାରଙ୍କୁ ୮ ବର୍ଷ ପୂରିବ । ଏହାରି ଭିତରେ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ ସେବା କରିଛୁ । ଉତ୍ତମ ଶାସନ ଓ ଗରିବଙ୍କ କଲ୍ୟାଣ ପାଇଁ ଏହି ୮ ବର୍ଷ ମଧ୍ୟରେ ଅନେକ କିଛି କରାଯାଇଛି । ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ସ୍ବପ୍ନ ସାକାର ହୋଇଛି । ଭାରତ ଉପରେ ସମସ୍ତଙ୍କ ଆଶା ରହିଛି । ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ହେବ । ୨୦୧୪ ପରେ ବିଜେପି ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସ ଜିତିଛି । ଲୋକଙ୍କ ପାଇଁ ଥିବା ଚ୍ୟାଲେଞ୍ଜକୁ ଆମକୁ ପରାସ୍ତ କରିବାକୁ ହେବ ବିଜୟ ସଂକଳ୍ପ ନେଇ ଆଗକୁ ବଢିବାକୁ ହେବ ।"
ଦେଶବାସୀଙ୍କ ଆଶା ଆମକୁ ହିଁ ପୂରଣ କରିବା ହେବ। ବିଜୟର ସଂକଳ୍ପ ସହ ଆଗକୁ ବଢ଼ିବା । ଆମର ମନ୍ତ୍ର ହେଲା ସବକା ସାଥ, ସବକା ବିଶ୍ୱାସ ଓ ସବକା ପ୍ରୟାସ। ଏହାକୁ ମାନି ସମସ୍ତଙ୍କୁ ଆଗକୁ ବଢିବାକୁ ହେବ । ଦେଶ ଲାଗି ଏକ ଉଜ୍ଜ୍ୱଳ ସମ୍ଭାବନା ଦେଖାଯାଉଛି ସମସ୍ତଙ୍କୁ ଦେଶର ବିକାଶମୂଳକ ଲକ୍ଷ୍ୟ ନେଇ କାମ ରହିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ