ରାୟପୁର: ଛତିଶଗଡ ସୁକମା ଜିଲ୍ଲାରେ ୫ ଗ୍ରାମବାସୀଙ୍କୁ ଅପହରଣ କରିନେଇଛନ୍ତି ନକ୍ସଲ । ଗତ ଶୁକ୍ରବାର ନକ୍ସଲମାନେ ୪ଜଣ ଗ୍ରାମବାସୀଙ୍କୁ ଅପହରଣ କରିଥିବାବେଳେ ଗତକାଲି (ଶନିବାର) ଆଉ ଜଣଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି । ଅପହରଣର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ଅପହୃତଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରି ନଥିବାବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଅପହରଣ ଶିକାର ହୋଇଥିବା ସମସ୍ତ ୫ଜଣ ସୁକମା ଜିଲ୍ଲାର କୋଣ୍ଟା ବ୍ଲକ ଅନ୍ତର୍ଗତ ବାଟର ଗ୍ରାମର ନିବାସୀ ବୋଲି ସୂଚନା ରହିଛି । ତେବେ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ସୁଦ୍ଧା ଅପହୃତ ଗ୍ରାମବାସୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଘଟଣାରେ ସ୍ଥାନୀୟ ସର୍ଭା ଆଦିବାସୀ ସମାଜ ଅପହୃତମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଲାଲବାହିନୀ ନିକଟରେ ଦାବି ରଖିଛି । ତେବେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ