ମାଲକାନଗିରି: ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ସୁକୁମାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇଦେଲେ ମାଓବାଦୀ । ବସ୍ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନାଅନୁସାରେ, ବସଟି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ଏଥିରେ ୪୦ରୁ ୫୦ ଯାତ୍ରୀ ରହିଥିଲେ । କୋଟାଂ ଠାରୁ ୧୫ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କୋତୁର ଠାରେ ବସକୁ ଅଟକାଇଥିଲେ ମାଓବାଦୀ । ଏହାପରେ ଧମକ ଚମକ ଦେଇ ଯାତ୍ରୀଙ୍କୁ ବାହାରକୁ ବାହାର କରି ବସରେ ନିଆଁ ଲଗାଇଦେଇଥିଲେ ମାଓବାଦୀ । ଫଳରେ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା ।
ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛି । କୁଟୁର ଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନିଜର ଦବଦବା ଜାହିର କରିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ