ହାଇଦ୍ରାବାଦ: ଆଜି ହେଇଛି ଜାତୀୟ ବିଜ୍ଞାନ ଦିବସ । 1928 ମସିହା ଫେବୃଆରୀ 28ରେ ଆବିଷ୍କୃତ ଆଲୋକର ରମଣ ପ୍ରକ୍ରିୟା ପାଇଁ ୧୯୩୦ ମସିହାରେ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ ନିଜ କର୍ମକ୍ଷେତ୍ର ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ(indian institute of science)ରେ ନୋବେଲ ପୁରସ୍କାର ମିଳିଥିଲା । ବର୍ତ୍ତମାନ ଭାରତ ସରକାର ପ୍ରତିବର୍ଷ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ସହ ସିଭି ରମଣଙ୍କ ବିରଳ କୀର୍ତ୍ତିକୁ ଦେଶବାସୀ ମନେ ପକାଇବା ପାଇଁ ଏହି ଦିନ ପାଳନ କରୁଛନ୍ତି ।
ଜାତୀୟ ବିଜ୍ଞାନ ଦିବସ ପାଳନର ଉଦ୍ଦେଶ୍ୟ-
- ଲୋକଙ୍କ ଦୈନନ୍ଦିନ ଜୀବନରେ ବୈଜ୍ଞାନିକ ପ୍ରୟୋଗର ମହତ୍ତ୍ବ ବିଷୟରେ ଏକ ବାର୍ତ୍ତା ବିସ୍ତାର କରିବା ପାଇଁ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ ।
- ମାନବ କଲ୍ୟାଣ ପାଇଁ ବିଜ୍ଞାନ କ୍ଷେତ୍ରରେ ସମସ୍ତ କାର୍ଯ୍ୟକଳାପ, ପ୍ରୟାସ ଏବଂ ସଫଳତା ପ୍ରଦର୍ଶନ କରିବା ।
- ଛାତ୍ରଙ୍କୁ ନୂତନ ପରୀକ୍ଷଣରେ ପ୍ରେରଣା ଦେବା, ସେମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା, ବିଜ୍ଞାନ ଏବଂ ବୈଜ୍ଞାନିକ ସଫଳତା ବିଷୟରେ ଅବଗତ କରାଇବା ।
- ବିଜ୍ଞାନର ବିକାଶ ପାଇଁ ସମସ୍ୟାଗୁଡିକ ଉପରେ ଆଲୋଚନା କରିବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବା |
- ବୈଜ୍ଞାନିକ ଚିନ୍ତାଧାରା ଥିବା ନାଗରିକମାନଙ୍କୁ ଏକ ସୁଯୋଗ ଦେବା ।
- ଦେଶର ଅଗ୍ରଗତି କ୍ଷେତ୍ରରେ ବିଜ୍ଞାନ ଓ ବୈଜ୍ଞାନିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଦୃଷ୍ଟିପାତ କରିବା ସଙ୍ଗେସଙ୍ଗେ ସମସ୍ତଙ୍କ ମନରେ ବିଜ୍ଞାନ ପ୍ରତି ରୁଚି ଓ ଅନୁରାଗ ସୃଷ୍ଟି କରିବା ।
ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସର ଥିମ:
ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି 'ଧାରଣାକ୍ଷମ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମନ୍ବିତ ଦୃଷ୍ଟିକୋଣ' ।
କାହିଁକି ଫେବୃଆରୀ 28 କୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଏ ?
ଡକ୍ଟର ସିଭି ରମଣ ଆନୁଷ୍ଠାନିକ ଭାବରେ ଫେବୃଆରୀ 28, 1928 ରେ ଘୋଷଣା କରିଥିଲେ ଯେ ସେ 'ରମଣ ପ୍ରଭାବ' ଆବିଷ୍କାର କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ତାଙ୍କୁ 1930 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା | ନ୍ୟାସନାଲ କାଉନସିଲ୍ ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ୍ (NCSTC) କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ଯେ ଏହି ଆବିଷ୍କାର ପାଇଁ ପ୍ରତିବର୍ଷ ଫେବୃଆରୀ 28 ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯିବା ଉଚିତ । ଭାରତ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ଦେଶରେ ୧୯୮୭ ମସିହା ଫେବୃଆରୀ 28ରୁ ଜାତୀୟ ବିଜ୍ଞାନ ଦିବସ ପାଳନ କରି ଆସୁଛନ୍ତି ।