ନୂଆଦିଲ୍ଲୀ: କୃଷି ଦେଶ ଭାରତରେ ପ୍ରତିବର୍ଷ 23 ଡିସେମ୍ବରରେ ଜାତୀୟ କୃଷକ ଦିବସ(National Farmers Day) ପାଳନ କରାଯାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକଙ୍କ ମସିହା କୁହାଯାଉଥିବା ଚୌଧରୀ ଚରଣ ସିଂଙ୍କ(fifth Prime Minister of India, Chaudhary Charan Singh) ଜନ୍ମଦିନରେ ଜାତୀୟ କୃଷକ ଦିବସ ପାଳନ କରାଯାଏ । କୃଷକମାନଙ୍କର ଜଣେ ଜଣାଶୁଣା ନେତା ଚୌଧରୀ ଚରଣ ସିଂ 23 ଡିସେମ୍ବର 1902 ରେ ଉତ୍ତରପ୍ରଦେଶର ମେଟର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ସେ ଗାଁ ଓ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷି କ୍ଷେତ୍ରର ଉନ୍ନତିରେ ଚୌଧୁରୀ ଚରଣ ସିଂ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ସୁବିଧା ପାଇଁ ଅନେକ କୃଷକ ଅନୁକୂଳ ନୀତି ପ୍ରସ୍ତୁତ କରିଥିଲେ । ସେ ହୁଏତ ଖୁବ କମ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବେ, କିନ୍ତୁ ସେ ଭାରତୀୟ କୃଷକଙ୍କ କଲ୍ୟାଣ ପାଇଁ ଅନେକ ପରିଶ୍ରମ କରିଛନ୍ତି । ସେ ବିଶ୍ବାସ କରୁଥିଲେ ଯେ, ଦେଶର କୃଷକମାନଙ୍କୁ କୃତଜ୍ଞତାର ସହ ବ୍ୟବହାର କରାଯିବା ଉଚିତ ଏବଂ ସେମାନେ ସେମାନଙ୍କର ପରିଶ୍ରମର ପୁରସ୍କାର ପାଇବା ଉଚିତ। ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ କୃଷକମାନଙ୍କୁ ଦେଶର ଶାସକ ଭାବରେ ବିବେଚନା କରିଥିଲେ।
କୃଷି ଏବଂ କୃଷକମାନଙ୍କ ପାଇଁ କରାଯାଇଥିବା ତାଙ୍କର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର 23 ଡିସେମ୍ବର ଦିନ ଚୌଧରୀ ଚରଣ ସିଂଙ୍କ ଜନ୍ମଦିନକୁ 2001 ମସିହାରୁ କିଶାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ବ୍ୟତୀତ କୃଷକମାନେ ଭାରତର ଆର୍ଥିକ ବିକାଶର ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ଦେଶର ସାମଗ୍ରିକ ଅର୍ଥନୈତିକ ତଥା ସାମାଜିକ ବିକାଶରେ କୃଷକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ କୃଷକମାନଙ୍କୁ ଅବଗତ କରାଇବା ପାଇଁ ଏହି ଦିନଟି ମଧ୍ୟ ପାଳନ କରାଯାଏ । ଆଜି (23 ଡିସେମ୍ବର 2021) ଜାତୀୟ କୃଷକ ଦିବସ ପାଳନ କରାଯାଉଥିବାରୁ ଭାରତର କୃଷକମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଏହି ଦିନ କୃଷି ଉପରେ ବିଭିନ୍ନ କାର୍ଯ୍ୟକ୍ରମ, ସେମିନାର, ଉତ୍ସବ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ ।
ତେବେ ସବୁବର୍ଷ ଠାରୁ ଏବର୍ଷର ପରିସ୍ଥିତି ଭିନ୍ନ । ଦୀର୍ଘ ୧ ବର୍ଷ ଧରି ଚାଲିଥିବା ଚାଷୀ ବିକ୍ଷୋଭର ଅନ୍ତ ହୋଇଛି । ସରକାର ଆଣିଥିବା ୩ଟି କୃଷି ଆଇନ ପ୍ରତ୍ୟାହୃତ ହୋଇଛି। ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଏବଂ ଚାଷୀଙ୍କ ଅନେକ ପ୍ରମୁଖ ଦାବି ଗ୍ରହଣ କରାଯିବା ପରେ କୃଷକମାନେ ଏହାକୁ ସେମାନଙ୍କର ବିଜୟ ବୋଲି କହିଛନ୍ତି । ତେଣୁ ଆଜିର ଦିବସକୁ ସମସ୍ତ କୃଷକ ସମାଜ ଅତି ଉତ୍ସାହର ସହ ପାଳନ କରିବେ ବୋଲି ଆଶା ।