ହାଇଦ୍ରାବାଦ: ପ୍ରତିବର୍ଷ ଜାନୁଆରୀ 15 ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ । ସେ ଯୁଦ୍ଧ ହେଉ, ଦେଶରେ ଏକ ବଡ଼ ଦୁଃଖଦ ଘଟଣା ପରେ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହେଉ ସବୁ କାର୍ଯ୍ୟରେ ଆଗଭର ଭାରତୀୟ ସେନା । ଦେଶପାଇଁ ବଳିଦାନ ଦେବାକୁ ସର୍ବଦା ପ୍ରସ୍ତୁତ । ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମର ସମ୍ମାନ ପାଇଂ ପ୍ରତିବର୍ଷ ଜାନୁଆରୀ 15 ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ ।
ଆଜି ଦେଶ ପାଳୁଛି 76ତମ ସେନା ଦିବସ । ଆଜିର ଏହି ଗୌରବମୟ ଅବସରରେ ନୂଆଦିଲ୍ଲୀ ତଥା ଦେଶର ବିଭିନ୍ନ ସାମରିକ ମୁଖ୍ୟାଳୟରେ ସାମରିକ ପରେଡ, ସାମରିକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ରଙ୍ଗୀନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଦିନ ଦେଶର ସେନାର ସାହସିକତା, ବୀରତା ଏବଂ ବଳିଦାନକୁ ସ୍ମରଣ କରାଯାଇଥାଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ।
ଏହା ମଧ୍ୟ ପଢନ୍ତୁ: Indian Army Day 2022: ବୀର ଯବାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ଭାରତୀୟ ସ୍ଥଳସେନା ଦିବସ ପାଳନର କାରଣ: ବ୍ରିଟିଶ ସାମ୍ରାଜ୍ୟ ଅଧିନରେ ଭାରତୀୟ ସେନା ଗଠନ କରାଯାଇଥିଲା । ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ବ୍ରିଟିଶର ଥିଲେ । ତେବେ ଦେଶ ସ୍ବାଧିନତା ହେବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । 1949 ମସିହାରେ ଜେନେରାଲ୍ ଫ୍ରାନ୍ସିସ୍ ବୁଚର ଶେଷ ବ୍ରିଟିଶ କମାଣ୍ଡର ରହିଥିଲେ । ତାଙ୍କ ବିୟୋଗ ପରେ ଲେଫ୍ଟନାଣ୍ଟ ଜେନେରାଲ କେ ଏମ କରିୟପ୍ପା ସ୍ବାଧୀନ ଭାରତର ପ୍ରଥମ ଭାରତୀୟ ସାମରିକ ଅଧିକାରୀ ହୋଇଥିଲେ । ଜାନୁଆରୀ 15 ତାରିଖରେ ଏମ କରିୟପ୍ପା ଜେନେରାଲ୍ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର କମାଣ୍ଡ ନେଇଥିଲେ । ଭାରତୀୟ ସେନା ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ରହିଥିଲା । ଏହି ଦିନ ଅର୍ଥାତ ଜାନୁଆରୀ 15 ତାରିଖରେ ପ୍ରଥମ ଥର ପାଇଁ ଦେଶର ସେନାର ନେତୃତ୍ବ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା । ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ 15 ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ 1953ରେ ଅବସର ନେଇଥିଲେ ।
ଏମ କରିୟପ୍ପା କିଏ ଥିଲେ: କେ ଏମ କରିୟପ୍ପା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ରହିଥିଲେ । ତାଙ୍କ ପୁରା ନାମ କୋଣ୍ଡଡେରା ମଡପ୍ପା କରିୟପ୍ପା ରହିଥିଲା । ସେ ଅନେକ ସଫଳତା ହାସଲ କରିଛନ୍ତି । ଭାରତ ଏବଂ ପାକିସ୍ତାନର ମଧ୍ୟରେ ହୋଇଥିବା ଯୁଦ୍ଧର ନେତୃତ୍ବ ନେଇଥିଲେ । ତେବେ 1993 ମସିହାରେ 94 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେନା ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ