କୋଲକାତା: ହାୱଡ଼ାରୁ ଭୁବନେଶ୍ବର ଆସିବାବେଳେ ଖଡଗପୁର ଡିଭିଜିନ ରାଧାମୋହନପୁର ଷ୍ଟେସନ୍ ପୂର୍ବରୁ ମୁହାଁମୁହିଁ ହେଲେ ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ଖଡ଼ଗପୁର- ହାୱଡ଼ା ଲୋକାଲ ଟ୍ରେନ୍ । ଏମର୍ଜେନସି ବ୍ରେକ୍ ଲଗାଇ ଅଟକିଲେ ଉଭୟ ଟ୍ରେନ୍ । ତେବେ ଲୋକାଲ ଟ୍ରେନ୍ ପଛକୁ ଫେରିବା ପରେ ଚାଲିଲା ଜନଶତାବ୍ଦୀ ଏକ୍ସପ୍ରେସ୍ । ଭୟ ଓ ଆଶଙ୍କାରେ ରେଳଯାତ୍ରୀ । ଏଭଳି ଘଟଣା ଆଜି ଅପରାହ୍ନ ୩ଟା ୩୦ ମିନିଟରେ ଘଟିଛି । ଏହି ପ୍ରକ୍ରିୟା କୌଣସି ସୁରକ୍ଷା ବା ନିୟମର ଉଲ୍ଲଂଘନ ନୁହେଁ । ଅଟୋମେଟିକ ବ୍ଲକ ସିଗନାଲିଂ ସିଷ୍ଟମର ବ୍ୟବହାର ସାମାନ୍ୟ ଅଭ୍ୟାସ ଅଟେ । ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ପୂର୍ବତଟ ରେଳବାଇ ।
ତେବେ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ ସେମାନଙ୍କ ମୋବାଇଲରେ ଭିଡିଓ ଉତ୍ତୋଳନ କରି ଆମ ସହ ସେୟାର କରିଥିବା ବେଳେ ନିଜର ପରିଚୟ ଗୋପନ ରଖିଛନ୍ତି । ଏହାସହିତ ଘଟଣା ନେଇ ପୂର୍ବାଞ୍ଚଳ ରେଳବାଇର ସିପିଆରଓଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ ନିକଟରେ ଏପରି କିଛି ସୂଚନା ନଥିବା କହିଥିଲେ । ପରବର୍ତ୍ତୀ ସମୟରେ ରେଳ କର୍ତ୍ତୃପକ୍ଷ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ।
ଗୋଟିଏ ଟ୍ରାକରେ ଆସୁଥିଲେ ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ଖଡ଼ଗପୁର-ହାୱଡ଼ା ଲୋକାଲ ଟ୍ରେନ୍ । ତେବେ ଉଭୟ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିକଟରେ ଘଟିଥିଲା ଏଭଳି ଘଟଣା । କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ । ତେଣୁ ଦୁର୍ଘଟଣା ଘଟିନଥିଲେ ମଧ୍ୟ ରେଳରେ ଥିବା ଯାତ୍ରୀମାନେ ପୁଣି ଏକ ଦୁର୍ଘଟଣାର ଆଶଙ୍କା କରି ଭୟରେ ସିହରି ଉଠିଥିଲେ । ପରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରି ରାଧାମୋହପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା । ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଏହା ଏକ ସାଧାରଣ ଅଭ୍ୟାସ ଥିଲା ବୋଲି ରେଳ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ତେବେ ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ପରେ ସାରା ଦେଶରେ ଲୋକେ ରେଳଯାତ୍ରାକୁ ଅସୁରକ୍ଷିତ ମନେ କରୁଛନ୍ତି । ଏହା ରେଳ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି ବଡ଼ ଦୁର୍ଘଟଣା ଘଟିଗଲା । ଏଥିରେ ଆଜି ପର୍ଯ୍ୟନ୍ତ ୨୯୪ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ବିକଳାଙ୍ଗ ପାଲଟିଯାଇଛନ୍ତି । ଅନେକ ଜଣ ଏବେ ବି ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ରହିଛନ୍ତି । ପରବର୍ତ୍ତୀ ସମୟରେ ଏଥିପ୍ରତି ଦୃଷ୍ଟି ଦେଇ ସଚେତନ ହେବା ନେଇ ସଭିଏଁ ଆଶାବାଦୀ ଅଛନ୍ତି ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, KGP ଡିଭିଜନର ହାୱଡା-ମେଦିନାପୁର ଉପଖଣ୍ଡରେ ଅଟୋମେଟିକ ବ୍ଲକ ସିଗନାଲିଂ ସିଷ୍ଟମ କାର୍ଯ୍ୟ କରୁଛି । ଏହି ସିଷ୍ଟମ ଦ୍ବାରା ଗୋଟିଏ ଲାଇନରେ ୩ରୁ ୫ଟି ଟ୍ରେନ ଚଳାଚଳ କରାପାରେ ଏବଂ ସର୍ବନିମ୍ନ ଦୂରତା ୧୦୦ ମିଟର ମଧ୍ୟରେ ଟ୍ରେନଗୁଡିକ ଅଟକି ରହିଥାଏ । ଏହି ପ୍ରକ୍ରିୟା କୌଣସି ସୁରକ୍ଷା ବା ନିୟମର ଉଲ୍ଲଂଘନ ନୁହେଁ । ଅଟୋମେଟିକ ବ୍ଲକ ସିଗନାଲିଂ ସିଷ୍ଟମର ବ୍ୟବହାର ସାମାନ୍ୟ ଅଭ୍ୟାସ ଅଟେ । ଏଥିରେ ଯାତ୍ରୀଙ୍କ ଜୀବନ ପ୍ରତି କୌଣସି ପ୍ରକାର ବିପଦ ନଥାଏ । ତେଣୁ ଏହାକୁ ନେଇ ରେଳଯାତ୍ରୀ ମଧ୍ୟରେ ଭୁଲ୍ ଖବର କିମ୍ବା ଆତଙ୍କ ନ ଖେଳାଇବାକୁ ଅନୁରୋଧ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ