ନୂଆଦିଲ୍ଲୀ/ପାଟନା : ଚଳିତ 31 ତାରିତରେ ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକର ନିଷ୍କର୍ଷ ଉପରେ ସାରା ଦେଶର ନଜର ରହିଛି । ତେବେ ଏହି ବୈଠକ ପାଇଁ ମୁମ୍ବାଇ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉତ୍ତେଜିତ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ଏହି ବୈଠକରେ ସେମାନେ (ବିରୋଧୀ) ମୋଦିଙ୍କ ଗଳାକୁ ଧରିଦେବେ । ମୋଦିଙ୍କୁ ହଟାଇବାକୁ ହେବ ବୋଲି ମଧ୍ୟ କହିଥିଲେ ଲାଲୁ ।
ଆସନ୍ତା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁମ୍ବାଇ ଗସ୍ତ କରିବେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ରେଳମନ୍ତ୍ରୀ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଆଜି ପାଟନା ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧି ମିଟିଂ ସମ୍ପର୍କରେ ଲାଲୁଙ୍କୁ ପ୍ରଶ୍ନ କରିଥିଲେ । ସାଙ୍ଗରେ ପୁଅ ତେଜସ୍ବୀ ଯାଦବ ମଧ୍ୟ ଥିଲେ । ଏଥିରେ ଲାଲୁ ଅତି ବେପରୁଆ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏପରି ବିବୃତ୍ତି ଦେଇଛନ୍ତି । କହିଛନ୍ତି ‘‘ଆମେ ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ଗଳା ଉପରେ ଚଢିବାକୁ ଯାଉଛୁ । ଆମେ ନରେନ୍ଦ୍ର ମୋଦିଙ୍କ ଗଳା ଧରିଛୁ, ମୋଦିଙ୍କୁ ହଟାଇବାକୁ ପଡିବ।’’ ହେଲେ ଲାଲୁଙ୍କ ଏପରି ବୟାନ ପରେ ବିବାଦ ସୃଷ୍ଟି ହେବା ପରି ପ୍ରାୟତଃ ଦୃଶ୍ୟମାନ ହେଉଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ବୟାନ କିମ୍ବା ଅଭିଯୋଗ ସମ୍ନାକୁ ଆସିନାହିଁ ।
ଏହା ମଧ୍ୟ ପଢନ୍ତୁ :-India Alliance: କି’ଏ ହେବ ଆବାହକ ? ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ
ତେବେ 23 ଜୁନରେ ପାଟନାରେ ନୀତିଶଙ୍କ ବାସଭବନରେ ପ୍ରଥମ ବିରୋଧୀ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏଥିରେ ମେଣ୍ଟ ଗଠନ କିମ୍ବା ଅନ୍ୟ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାପାରିନଥିଲା । ଦ୍ବିତୀୟ ବୈଠକର ଆୟୋଜନ ଭାର ମୁଖ୍ୟ ବିରୋଧୀ କଂଗ୍ରେସ ଗ୍ରହଣ କରିଥିଲା । ଦଳ ବିଜେପିକୁ ମାତ ଦେଇ ନୂଆ କରି କ୍ଷମତା ହାସଲ କରିଥିବା କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବୈଠକ ଆହ୍ବାନ କରିଥିଲା । ଏଥିରେ 26ଟି ରାଜନୈତିକ ଦଳ ଏକାଠି ହୋଇ ମେଣ୍ଟର ନାମ ‘ଇଣ୍ଡିଆ’ ରଖିଥିଲା । ସେହିଦିନ ପରବର୍ତ୍ତୀ ତଥା ତୃତୀୟ ମିଟିଂ ବମ୍ବେରେ ହେବା ନେଇ ଘୋଷଣା କରାଯାଇଥିଲା । ଏହି ବୈଠକରେ ମେଣ୍ଚର ଆବାହକ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ