ଡେରାଡୁନ: ସବୁଜ ବନାନୀ ଭରା ପାହାଡ଼ ପର୍ବତରେ ଫୁଲର ସମ୍ଭାର। ଯୁଆଡ଼େ ଆଖି ବୁଲାଇଲେ ସୁନ୍ଦର ସୁନ୍ଦର କଅଁଳିଆ ଫୁଲ । ଯେମିତି ପ୍ରକୃତି ସଜେଇ ହୋଇ ବସିଛି । ରଙ୍ଗ ବେରଙ୍ଗର ଫୁଲ ଓ ଏହାର ବାସ୍ନାକୁ ଉପଭୋଗ କରିବା ପରେ ଏଠାରୁ ଫେରି ଯିବାକୁ ଇଚ୍ଛା ହୁଏନି ।
ଆଜ୍ଞା ହଁ ଆମେ କହୁଛୁ ବିଶ୍ବ ବିଖ୍ୟାତ ଫୁଲର ଘାଟି ନନ୍ଦାଦେବୀ ବାୟୋସ୍ଫିୟର କଥା । ଯାହାକୁ ଦେଖିବାକୁ ଦେଶବିଦେଶରୁ ଲୋକେ ଧାଇଁ ଆସନ୍ତି । ଫେରି ଯିବା ପୂର୍ବରୁ ପୁଣି ନିଶ୍ଚେ ବୁଲି ଆସିବେ ବୋଲି ଏହି ପର୍ବତକୁ କଥା ଦେଇ ଯାଆନ୍ତି ।
ଏହି ଘାଟିରେ ଆପଣ ଫୁଲଙ୍କ ଭାଷା ବୁଝି ପାରିବେ ବୋଲି କଥା ରହିଛି । ପର୍ଯ୍ୟଟକଙ୍କ ମନ ମୋହି ନିଏ ଘାଟିର ରଙ୍ଗବେରଙ୍ଗ ସୁନ୍ଦରିଆ ଫୁଲ । ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ କୌଣସି ସ୍ବର୍ଗରୁ କମ୍ ନୁହେଁ ।
ଘାଟିରେ ପ୍ରାୟ 50 ପ୍ରଜାତିର ଫୁଲ ଦେଖାଯାଏ। କିନ୍ତୁ ଜୁଲାଇ ମାସରେ ଏହି ସଂଖ୍ୟାରେ ବୃ୍ଦ୍ଧି ମଧ୍ୟ ହୁଏ । ସ୍ଥାନୀୟ ଲୋକେ ଏହି ଫୁଲର ଘାଟିକୁ ପରିମାନଙ୍କ ବାସସ୍ଥାନ ବୋଲି କୁହନ୍ତି । ଏଥିପାଇଁ ଏଠାରେ ବେଶୀ ସମୟ ବିତାଇବାକୁ ପଛଘୁଞ୍ଚା ଦିଅନ୍ତି । 1931 ମସିହାରେ ଦୁଇ ବ୍ରିଟିଶ ପର୍ବତ ଆରୋହୀ ଫ୍ରାଙ୍କ୍ ସ୍ମିଥ୍ ଓ ତାଙ୍କ ସାଥି ହୋଲ୍ଡସ୍ୱର୍ଥ ଏହି ଫୁଲ ଘାଟିର ଆବିଷ୍କାର କରିଥିଲେ । ଯାହା ପରବର୍ତ୍ତୀ ସମୟରେ ବିଶ୍ବ ବିଖ୍ୟାତ ହୋଇ ପାରିଥିଲା ।
ହିନ୍ଦୁ ଧର୍ମ ଗ୍ରନ୍ଥରେ ମଧ୍ୟରେ ଫୁଲ ଘାଟି ବିଷୟରେ ଉଲ୍ଲେଖ ରହଥିବା କିମ୍ବଦନ୍ତୀ ରହିଛି । ରାମାୟଣର ଲକ୍ଷ୍ଣଣ ମୁର୍ଚ୍ଛିତ ହେବାପରେ ହନୁମାନ ଏଠାରୁ ହିଁ ସଞ୍ଜିବନୀ ପାଇଥିବା ଲୋକକଥା ରହିଛି । ଏହାର କାରଣ ହେଉଛି ଏହି ପାହାଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳୁଛି ବହୁମୂଲ୍ୟ ଜଡ଼ିବୁଟି। ଏହି ସବୁ ଜଡ଼ିବୁଟି ବହୁ ରୋଗବ୍ୟଥାର ରାମବାଣ ବୋଲି କୁହାଯାଉଛି ।
ପ୍ରତ୍ୟେକ ବର୍ଷ ଜୁନ ମାସ 30 ତାରିଖରେ ଗାଇଡଲାଇନଙ୍କ ପର୍ଯ୍ୟଟକଙ୍କ ପାଇଁ ନନ୍ଦାଦେବୀ ଖୋଲି ଦିଆଯାଏ । ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଉଛି । ତା ସାଙ୍ଗକୁ ନନ୍ଦାଦେବୀ ମଧ୍ୟରେ ପର୍ଯ୍ୟଟକଙ୍କୁ କୋଭିଡ ନିୟମ ପାଳିବାକୁ ବାଧ୍ୟତାମୂଳକ କରାଯାଇଛି।
ତାହେଲେ ଆଉ ଡେରି କାହିଁକି କୋରୋନା ଦେଇଥିବା ସମସ୍ତ କଷ୍ଟକୁ ଭୁଲି ଥରେ ନନ୍ଦାଦେବୀ ବାୟୋସ୍ଫିୟର ବୁଲି ଆସନ୍ତୁ । ପ୍ରକୃତିର ଏହି ପରିରାଇଜ ବୁଲି ଆସିଲେ ସମସ୍ତ ଅବସାଦ ଆପେ ଦୂରେଇ ଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ