ମୁମ୍ବାଇ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ(Manoj Pandey) ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ । ଏପ୍ରିଲ ୩୦ ତାରିଖରେ ସେନା ମୁଖ୍ୟ ଏମ.ଏମ ନରୱାଣେ ଅବସର ନେବା ପରେ ଭାରତୀୟ ସେନାର କମାଣ ସମ୍ଭାଳିବେ ମହାରାଷ୍ଟ୍ର ନାଗପୁରର ମନୋଜ ପାଣ୍ଡେ । ତାଙ୍କର ନିଯୁକ୍ତିକୁ ଗ୍ରୀନ ସିଗନାଲ ମିଳିବା ପରେ ସାରା ନାଗପୁରରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ପରିପ୍ରେକ୍ଷୀରେ ମନୋଜ ପାଣ୍ଡେଙ୍କ ବାଲ୍ୟବନ୍ଧୁ ଦିଲ୍ଲୀପ ଆଠଲେ( Dilip Athale) ବେଶ ଖୁସି ହେବା ସହ ତାଙ୍କର ଛୋଟ ବେଳର ସ୍ମୃତି ମନେ ପକାଇଛନ୍ତି । ନର୍ସରୀ ସମୟରୁ ଗତ ୫୭ ବର୍ଷ ଧରି ବନ୍ଧୁ ଥିବା ଦିଲ୍ଲୀପ କହିଛନ୍ତି ମୁଁ ଖୁସି ଅନୁଭବ କରୁଛି କି, କେବେ ଆମେ ସାଙ୍ଗ ହୋଇଥିଲୁ । ଏକାଠି ଖେଳିଥିଲୁ, ଏକାଠି ହସୁଥିଲୁ । ଆଜି ସେ ଦେଶର ସେନା ମୁଖ୍ୟ ହୋଇଛି ।

ମନୋଜ ପାଣ୍ଡେଙ୍କ କ୍ୟାରିଅର:
ଦିଲ୍ଲୀପ ଆଠ୍ଲେ ମନୋଜ ପାଣ୍ଡେଙ୍କ ସମ୍ପର୍କରେ କହିଛନ୍ତି, ସେ ପିଲାଟି ବେଳୁ କ୍ରୀଡାରେ ପାରଙ୍ଗମ ଥିଲେ ଏବଂ ଖୁବ୍ ମେଳାପୀ ଥିଲେ । ସାଙ୍ଗ ମେଳରେ ସେ ମନୋଜ ପାଣ୍ଡେ ଖୋଡକର(Manoj Pandey Khodkar) ଭାବେ ଜଣାଯାଉଥିଲେ । ପାଣ୍ଡେ ନାଗପୁର ବାୟୁସେନା ନଗର(Vayusena Nagar) ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରୁ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ । ମାଟ୍ରିକ ପରେ ୧୯୭୮ ମସିହାରେ ସେ ପୁଣେର National Defense Academyରେ ଯୋଗ ଦେଇଥିଲେ । ୨୦ ବର୍ଷ ବୟସରେ ମନୋଜ ପାଣ୍ଡେ ସେନାରେ ଭର୍ତ୍ତି ହୋଇ ଦେଶମାତୃକାରେ ସେବା କରିଥିଲେ । ୧୯୮୨ ମସିହାରେ ସେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ।

ପରିବାର:
ମନୋଜ ପାଣ୍ଡେଙ୍କ ପିତାଙ୍କ ନାମ ଡ. ଚନ୍ଦ୍ରଶେଖର ପାଣ୍ଡେ(Dr. Chandrasekhar Pandey) ଏବଂ ମାଆଙ୍କ ନାମ ପ୍ରେମା ପାଣ୍ଡେ(Prema Pandey) ଥିଲା । ପିତା ବୃତ୍ତିରେ ଜଣେ ମନୋଚିକିତ୍ସକ(psychiatrist) ଥିଲେ । ମାଆ ଅଲ୍ ଇଣ୍ଡିଆ ରେଡିଓର ଉଦଘୋଷିକା ଥିଲେ । ତାଙ୍କ ସାନଭାଇ ସଙ୍କେତ ପାଣ୍ଡେ କର୍ଣ୍ଣେଲ ଭାବେ ସେନାରୁ ଅବସର ନେଇଛନ୍ତି । ମନୋଜ ପାଣ୍ଡେଙ୍କ ପତ୍ନୀଙ୍କ ନାମ ହେଉଛି ଡ. ଅର୍ଚ୍ଚନା ସଲପେକର, ଯିଏକି ନାଗପୁର ସରକାରୀ ଡେଣ୍ଟାଲ କଲେଜରୁ ସ୍ବର୍ଣ୍ଣପଦକ ପାଇଛନ୍ତି । ତାଙ୍କ ପୁଅବୋହୂ ଉଭୟ ଭାରତୀୟ ସେନାରେ ପାଇଲଟ ଅଛନ୍ତି ।
ଦିନେ ମନୋଜ ପାଣ୍ଡେ ଯେ ସଫଳତାର ଶିଖର ଛୁଇଁବେ, ସେଥିରେ କୌଣସି ସନ୍ଦେହ ନଥିଲା । ସେନାର ତାଙ୍କର ପୋଷ୍ଟିଂ ଖୁବ୍ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା । ଲଦାଖ ସୀମାରୁ ସେ ଅନେକ ଅଭିଜ୍ଞତା ଓ ଅନୁଭବ ହାସଲ କରିଛନ୍ତି । ସେ ନିଶ୍ଚୟ ସେନା ମୁଖ୍ୟ ଭାବେ ଦାୟିତ୍ବ ନେବେ ତାହା ଆମେ ବିଶ୍ବାସ ରଖିଛୁ । ମନୋଜ ଉଚ୍ଚ ପଦରେ ଥିବା ସତ୍ତ୍ବେ ସେ ଏବେ ବି ମହାରାଷ୍ଟ୍ର ଏବଂ ନାଗପୁର ସହ ଜଡିତ ଅଛନ୍ତି । ନାଗପୁର ଆସିଲା ମାତ୍ରେ ସେ ସବୁବେଳେ ସାଙ୍ଗମାନଙ୍କୁ ଭେଟିବାକୁ ଚେଷ୍ଟା କରିଥାନ୍ତି । ମନୋଜ ପାଣ୍ଡେଙ୍କ ନେତୃତ୍ବରେ ଭାରତୀୟ ସେନା ଶିଖର ଛୁଇଁବ ଏବଂ ଭାରତର ସୁରକ୍ଷା ଆହୁରି ମଜବୁତ ହେବ ବୋଲି କହିଛନ୍ତି ଦିଲ୍ଲୀପ ଆଠେଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ