ଲକ୍ଷ୍ନୌ: ଉତ୍ତପ୍ରଦେଶର ଆଜମଗଡ ଜିଲ୍ଲାରେ ଚାଞ୍ଚଲ୍ୟ । କୂଅରେ ଭାସୁଛି କଟା ହାତ ଓ କଟା ଗୋଡ । କୂଅ ମଧ୍ୟରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କଲା ପୋଲିସ । କେବଳ ମହିଳାଙ୍କ ହାତ ଗୋଡ କୂଅ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ମୁଣ୍ଡର ପତ୍ତା ପାଉନି ପୋଲିସ । ଜିଲ୍ଲାର ଅହରୁଲାର ପଶ୍ଚିମ କା ପୁର ଅଞ୍ଚଳରେ ଦୁର୍ଭାସା-ଗାହାଜୀ ରାସ୍ତାରେ ଥିବା ଏକ କୂଅରୁ ପୋଲିସ ଏପରି ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । କୂଅ ମଧ୍ୟରେ ଶରୀରୁ ଗୋଡ ଓ ହାତ ଅଲଗା ହୋଇ ଭାସୁଥିବା ଦେଖିବାକୁ ପାଇଥିଲା ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ପଶ୍ଚିମ କା ପୁର ଗ୍ରାମଠାରୁ ପ୍ରାୟ 150 ମିଟର ଦୂରରେ ଥିବା କୂଅରେ ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡବିହୀନ ଶରୀରକୁ କୂଅ ମଧ୍ୟରୁ ଉଦ୍ଧାର କରିଥିଲା । ଏନେଇ ପୋଲିସ ସୂଚନା ଦେଇ କହିଛି ଯେ, ଏହି ଘଟଣା ପ୍ରାୟ ୨ଦିନ ପୂର୍ବର । ମୃତଦେହକୁ ଉଦ୍ଧାର ପରେ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଚିହ୍ନଟ ପରେ ଏହି ଘଟଣାର ତଦନ୍ତ ଆଗକୁ ଯିବ । ଫରେନସିକ ଏକ୍ସପର୍ଟ ଓ ଡଗ ସ୍କ୍ବାଡ ଏହି ଘଟଣାରେ ତଦନ୍ତ ଜାରି ରଖିଛନ୍ତି । ତେବେ ମହିଳା ଜଣଙ୍କ କିଏ ଓ ତାଙ୍କୁ କିଏ ହତ୍ୟା କରି ଏପରି ମୁର୍ମୂଷ ଅବସ୍ଥାରେ କୂଅରେ ଫୋପାଡିଲା ସେନେଇ ତଦନ୍ତ କରୁଛି ପୋଲିସ ।