ନୂଆଦିଲ୍ଲୀ: ଥରହର ହେବେ ଶତ୍ରୁପକ୍ଷ । ଭାତରୀୟ ବାୟୁସେନାର ବଢିଲା ଶକ୍ତି । ମିଳିଲା ମିସାଇଲ୍ ସିଷ୍ଟମ MRSAM । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟମ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ (MRSAM)ର ପ୍ରଥମ ୟୁନିଟ୍କୁ ଜୈସଲମେର IAF ଜାହାଜରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ବ୍ୟାସାର୍ଦ୍ଧରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ହେବ।
MRSAM ମିସାଇଲ୍ ସିଷ୍ଟମରେ ଉନ୍ନତ ରାଡାର, କମାଣ୍ଡ ଏବଂ କଣ୍ଟ୍ରୋଲ, ମୋବାଇଲ୍ ଲଞ୍ଚର୍ ଏବଂ ରେଡିଓ ଫ୍ରିକ୍ୱେନ୍ସି ସ୍ପିକର ମଧ୍ୟ ରହିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଇସ୍ରାଏଲର IAI ମିଳିତ ଭାବେ ଏହି କ୍ଷେପଣାସ୍ତ୍ରକୁ ତିଆରି କରିଛି । ଏମଆରଏସଏଏମକୁ ଭାରତର ତିନି ସେନା ବ୍ୟବହାର କରିବେ ।
ଏହି ମିସାଇଲ୍ ସିଷ୍ଟମ ଯେ କୌଣସି ବି ଯୁଦ୍ଧ ବିମାନ, ହେଲିକପ୍ଟର, ୟୁଏଭି, ସବସୋନିକ ଏବଂ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବାର କ୍ଷମତା ରଖିଛି । ସବୁଠୁ ବଡ କଥା ହେଉଛି କି ଏହି କ୍ଷେପଣାସ୍ତ୍ର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ରକେଟ୍ ମୋଟର ସାହାଯ୍ୟରେ ପରିଚାଳିତ ।
ମିସାଇଲ ସିଷ୍ଟମକୁ ଅନ୍ତର୍ଭୁକ୍ତ କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ବାୟୁସେନାକୁ MRSAM ହସ୍ତାନ୍ତର କରି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ସାକାର କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢିଛୁ । ଏହି ଏୟାର ସିଷ୍ଟମ ଡିଫେନ୍ସ ଏକ ଗେମ୍ ଚେଞ୍ଜର ରୂପେ ପ୍ରମାଣିତ ହେବ ବୋଲି କହିଛନ୍ତି ରାଜନାଥ ।
ଦେଶର ସୁରକ୍ଷା ତଥା ସାମଗ୍ରିକ ବିକାଶ ପାଇଁ ସରକାର ସବୁ ଚେଷ୍ଟା କରୁଛନ୍ତି । ଭାରତ ଖୁବଶୀଘ୍ର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ସହିତ ପ୍ରତିରକ୍ଷା ପ୍ରଣାଳୀର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ ବୋଲି ରାଜନାଥ ନିଜ ସମ୍ବୋଧନରେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ