ହାଇଦ୍ରାବାଦ: ମାଆ, ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦରେ ବଖାଣି ହେବନି । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦର ଗଭୀରତାରେ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ । ମା' ଶବ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ । ସେଥିପାଇଁ ତ ମା' ହେଉଛି ମମତାର ଦେବୀ । ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ । ମା' ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ସେ କେବଳ ସନ୍ତାନର ଲାଳନପାଳନ କରେ ନାହିଁ ବରଂ ତାଭିତରେ ସଂସ୍କାର ମଞ୍ଜି ବୁଣିବାର ସବୁଠାରୁ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଜନ୍ମଦିଏ ଆଉ ହାତ ଧରି ବାଟ ଚାଲିବା ଶିଖାଏ ।
ମାଆ କଥା ଯେତିକି ମଧୁର ତା'ର ହାତରନ୍ଧା ସେତିକି ସୁଆଦିଆ । ମାଆ ପାଟିରୁ ଯାହା ବାହାରେ ତାହା ସନ୍ତାନ ପାଇଁ ଆର୍ଶୀବାଦ ପାଲଟିଯାଏ । ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତାର ବୈତରଣୀ । ଯେତେ ଶବ୍ଦ ସହ ତୁଳନା କରିଲେ ମଧ୍ୟ ମାଆ ପାଇଁ ଶବ୍ଦକୋଶର ଅଭାବ ପଡିଯିବ । ସେ ସର୍ବାଙ୍ଗ ସାହା, ତ୍ରାରଣ କର୍ତ୍ତା, ପାଳନ କର୍ତ୍ତା । ସେହିଁ ପୁଣି ସଂସାର ସଂଘାର । ଛୁଆଙ୍କ ପାଇଁ ଅଭୟ ବରଦାୟିନୀ, ଶାନ୍ତି ପ୍ରଦାୟିନୀ ।
ମାଆର ପଣତକାନି ଦୁନିଆର ସବୁ ସନ୍ତାନ ପାଇଁ ସବୁଠୁ ଶେଷ୍ଠ ସୁରକ୍ଷିତ ଆଶ୍ରୟ ସ୍ଥଳ । ମାଆ କୋଳରୁ ଆରାମ ଦାୟକ ସ୍ଥାନ ଆଉ କେଉଁଠି ନଥାଏ । ସଂସାରର ଯେତେ ଶ୍ରଦ୍ଧା, ମା' ଠୁ ଆରମ୍ଭ, ମା'ରେ ଶେଷ । ମାଆ ତୋ ସହନଶୀଳତା ଆଉ ତୋ ଧୈର୍ଯ୍ୟ ଆଗରେ ପଥର ବି ମୁଣ୍ଡ ନୁଆଁଇବ । ମାଆ କେତେବେଳେ ଚୁଲିଧୂଆଁରେ କାନ୍ଦେ ପୁଣି କେତେବେଳେ ପାରିବାରିକ ଅନଟନରେ କାନ୍ଦେ, ହେଲେ କେବେ ଛୁଆକୁ କନ୍ଦାଇବାକୁ ଦିଏନି ।
ମାତୃ ଦିବସର ଇତିହାସ :
ଏନା ଜାର୍ଭିସ ନାମକ ଜଣେ ଆମେରିକୀୟ ମହିଳା ପ୍ରଥମେ ମାତୃ ଦିବସ ପାଳନ କରିଥିଲେ । ସେ ନିଜ ମାକୁ ବହୁତ ସମ୍ମାନ ଓ ଭକ୍ତି ଦେଉଥିଲେ । ଯେତେବେଳେ ମାଆଙ୍କର ମୃତ୍ୟୁ ଘଟିଲା ସେ ନିଜ ଜୀବନ ମାଆ ପାଇଁ ଉତ୍ସର୍ଗ କରିଦେଇଥିଲେ । କୁହାଯାଏ ୧୯୧୪ ମସିହା ମେ' 8 ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଓ୍ବିଲସନ ମାତୃଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହା ପେରେ ଆମେରିକୀୟ ସଂସଦରେ ଏହି ଆଇନ ପାରିତ ହୋଇଥିଲା । ସେହିଦିନ ଠାରୁ ମାତୃତ୍ବ ଦିବସ ପାଳନ କରାଯାଉଛି । ଏହା ପରେ ୟୁରୋପ, ଭାରତ ଓ ଅନ୍ୟ ଦେଶରେ ଏହାକୁ ସ୍ବୀକୃତି ମିଳିଲା ।
'ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ' । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ତାକୁ ମନେ ପକାଇବା ପାଇଁ ଦିନଟିଏ ନୁହେଁ, ତା ଦାନ ତା ତ୍ୟାଗୀକୁ ପୂଜା କରିବାର ଆଉ ତାକୁ ତା' ପରିଚୟରେ ଆମେ ପରିଚିତ ବୋଲି ଜଣାଇ ଦେବାର ଦିନ । ମାର ନିଃସ୍ବାର୍ଥ ପ୍ରେମ, ତ୍ୟାଗ, ବାତ୍ସଲ୍ୟ, ମମତା ପ୍ରତି କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ମେ' ମାସର ଦ୍ବିତୀୟ ରବିବାରକୁ ବିଶ୍ବ ମାତୃତ୍ବ ଦିବସ ଭାବେ ପାଳନ କରାଯାଏ । କୁହାଯାଏ ମାଆର ଋଣ ମରିବା ଯାଏ ଜଣେ ଶୁଝି ପାରିବ ନାହିଁ । ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ବଦଳରେ ଆମେ କିଛି ବି କଲେ ତାହା ବହୁତ କମ୍ ହେବ । ମାତୃ ଦିବସ(Mother's Day 2022) ଅବସରରେ ସଂସାରର ସବୁ ମାଆମାନଙ୍କୁ ଆମର କୋଟି କୋଟି ପ୍ରଣାମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ