ମୁମ୍ବାଇ: ନିଜ ଝିଅକୁ ନିଆଁରେ ପୋଡି ହତ୍ୟା ଉଦ୍ୟମ କଲା ମା’ । ଅଳ୍ପକେ ବର୍ତ୍ତିଯାଇଥିବା ଝିଅ ପୋଲିସରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଲା ହତ୍ୟା ଉଦ୍ୟମ ପଛର ପ୍ରକୃତ କାରଣ । ଅଚାନକ ଟଙ୍କା ପ୍ରାପ୍ତ କରିବା ପାଇଁ ଜଣେ ମହିଳା ତାନ୍ତ୍ରିକର ପରାମର୍ଶରେ ନିଜ ଝିଅ ସହ ଏପରି କରିଥିଲେ ମହିଳା ଜଣଙ୍କ । କାରଣ ତାନ୍ତ୍ରିକ ମହିଳା କହିଥିଲା, ଯଦି ନିଜ ଝିଅକୁ ନିଆଁରେ ପୋଡି ହତ୍ୟା କରିପାରିବ, ତେବେ ଘରର ଆର୍ଥିକ ସମସ୍ୟା ଦୂର ହେବା ସହ ଅଚାନକ ଟଙ୍କା ମଧ୍ୟ ପ୍ରାପ୍ତି ହେବ । ଏପରି ଅନ୍ଧଗଳିର ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ଘଟଣା ମହାରାଷ୍ଟ୍ର ସାମ୍ଭାଜୀ ନଗର ଅଞ୍ଚଳରୁ ଆସିଛି । ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳା ଓ ପରାମର୍ଶ ଦେଇଥିବା ମହିଳା ତାନ୍ତ୍ରିକକୁ ମଧ୍ୟ ଗିରଫ କରିଛି ।
ପାର୍ବତୀ ହାଲମୁଖ ନାମ୍ନୀ ଜଣେ ମହିଳା ନିଜ ଝିଅ ଓ ପୁଅ ସହିତ ସ୍ଥାନୀୟ ଅଞ୍ଚଳରେ ରହୁଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କର ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି । ହେଲେ ସେ ଘରର ଆର୍ଥିକ ସମସ୍ୟା ନେଇ ଶକୁନ୍ତଳା ଅହିର ନାମ୍ନୀ ଜଣେ ମହିଳା ତାନ୍ତ୍ରିକଙ୍କ ପ୍ରରୋଚନାରେ ଆସିଥିଲେ । ଘରର ଆର୍ଥିକ ସମସ୍ୟା ଦୂର ଓ ଟଙ୍କା ପ୍ରାପ୍ତ କରିବା ପାଇଁ ନିଜ ଝିଅକୁ ପୋଡି ମାରିବାକୁ ପଡିବ ବୋଲି ସମ୍ପୃକ୍ତ ମହିଳା ତାନ୍ତ୍ରିକ କହିଥିଲା । ସେହି ଆଧାରରେ ପାର୍ବତୀ ନିଜ ଝିଅକୁ ଶୋଇଥିବା ଅବସ୍ଥାରେ ପୋଡି ମାରିବାକୁ ଉଦ୍ୟମ କରିଥିଲା । ହେଲେ ପୀଡିତା ଜଣଙ୍କ ନିଜ ସାନଭାଇ ସହାୟତାରେ ସେଠାରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ । ହେଲେ ତାର ମା’ ତାକୁ ଘରେ ବନ୍ଦ କରି ରଖିଥିଲା । କୌଣସି ପ୍ରକାରେ ଯୁବତୀଜଣଙ୍କ ନିଜ ମା’ କବଳରୁ ଖସି ଆସି ପୋଲିସରେ ଅଭିଯୋଗ କରିବା ପରେ ଅନ୍ଧବିଶ୍ବାସର ଏପରି ସାଙ୍ଘାତିକ କାହାଣୀ ପଦାକୁ ଆସିଛି ।
ଏହା ମଧ୍ୟ ପଢନ୍ତୁ:-ଅନୁଗୋଳରେ ଥମୁନି ହାତୀ ଆକ୍ରମଣ: 2 ଜଣଙ୍କୁ ଦଳିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଲୋକେ
ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ ଉଭୟ ପୀଡିତାଙ୍କ ମା’ ଓ ମହିଳା ତାନ୍ତ୍ରିକକୁ ଗିରଫ କରି ଜେରା ଜାରି କରିଛି । ପୀଡିତା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଏକାଧିକ ଧାରାରେ ଉଭୟ ମହିଳା ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କରିଛି ପୋଲିସ । ହେଲେ ତନ୍ତ୍ରମନ୍ତ୍ରର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମା’ ଟଙ୍କା ପ୍ରାପ୍ତି ଲୋଭରେ ନିଜ ଝିଅକୁ ହତ୍ୟା ଉଦ୍ୟମ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ