ମୁମ୍ବାଇ: ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟ ଜନକ ଘଟଣା । ସାବତ ବାପା ସହ ଝିଅକୁ ବିବାହ କରାଇଲା ମାଆ । ନିଜେ ଦ୍ବିତୀୟ ବିବାହ କରିଥିବା ବେଳେ ଝିଅକୁ ମଧ୍ୟ ସ୍ବାମୀ ସହ ବିବାହ କରାଇଲେ ମହିଳା । ବିବାହ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେନାରେ କାର୍ଯ୍ୟରତ ଜଣେ ଯବାନ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ପୁଣେରେ । ଏନେଇ ଥାନାରେ ଅଭିଯୋଗ ପରେ ଯବାନ ଓ ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଯବାନଙ୍କ ନାମ ସାଗର ଜୟରାମ ଦାତଖିଲେ । ସେ ସେନାରେ କାର୍ଯ୍ୟ କରୁଛନ୍ତି । ମହିଳାଙ୍କ ପ୍ରଥମ ସ୍ୱାମୀ ତାଙ୍କୁ ଛାଡିଚାଲିଯିବା ପରେ, ସେ ସାଗର ଜୟରାମଙ୍କୁ ଦ୍ବିତୀୟ ବିବାହ କରିଥିଲେ ।
ଜଣେ ମହିଳା ସାମାଜିକ କର୍ମୀଙ୍କ ସହ ଜଣେ ୧୫ ବର୍ଷର ବାଳିକା ଗୁରୁବାର ଦିନ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ । ସେ ପୋଲିସକୁ କହିଥିଲେ ଯେ, ତାଙ୍କ ମାଆ ତାଙ୍କୁ ବଳପୂର୍ବକ ସାବତ ବାପା ସହ ବିବାହ କରାଇଛନ୍ତି । ଏକ ବିବାହ ଉତ୍ସବରେ ସାକ୍ଷାତ ହୋଇଥିଲେ । ପରେ ସେ ଅନେକ ସମୟରେ ପୁଣେରେ ପୀଡିତାଙ୍କ ଘରକୁ ଯାଉଥିଲେ । ସେଠାରେ ୧୦ରୁ ୧୫ ଦିନ ମଧ୍ୟ ରହିଥିଲେ । କିଛି ଦିନ ପରେ ହଠାତ୍ ତାଙ୍କ ମାଆ ସାଗରଙ୍କୁ ତାଙ୍କ ସହ ବିବାହ କରିବାକୁ କହିଥିଲେ । ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ, ଫଳର ନଭେମ୍ବର 6ରେ ଅହମ୍ମଦନଗରର ଏକ ମନ୍ଦିରରେ ସାଗରଙ୍କ ସହ ଝିଅକୁ ବିବାହ କରାଇଥିଲେ ମାଆ । ବିବାହ ପରେ ସାଗରଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଥିଲେ ।
ଏପରି ସାମ୍ନାକୁ ଆସିଥିଲା ଘଟଣା
ଏହି ଘଟଣା ଘଟିବାର କିଛିଦିନ ପରେ ପୀଡିତା ଜଣଙ୍କ ଭୟରେ ସ୍କୁଲରେ କାନ୍ଦୁଥିଲେ । ତା’ପରେ ସହପାଠୀ କାରଣ ଜାଣିବାକୁ ଚାହିଁଥିଲେ । ଏହାପରେ ନାବାଳିକା ଜଣଙ୍କ ସମସ୍ତଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଏହା ଉପରେ ସେ ଜଣେ ସାମାଜିକ କର୍ମୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ । ସାମାଜିକ କର୍ମୀ ପୀଡିତାଙ୍କୁ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏନେଇ ଚାଙ୍ଗନଗର ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ରାଜେନ୍ଦ୍ର ଲ୍ୟାଣ୍ଡେଜ କହିଛନ୍ତି ଯେ ପୀଡିତାଙ୍କ ମାଆ ଏବଂ ଅଭିଯୁକ୍ତ ସାଗରଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।