ବେଙ୍ଗାଲୁରୁ: ପୁଅର ମରଶରୀର ଉପରେ ମୁଣ୍ଡ ରଖି ଛାତି ଫଟାଇ କାନ୍ଦୁଛନ୍ତି ପରିବାର । ମାଆ କହୁଛି ଫେରିଆ ଧନ ମୋ କୋଳକୁ । ସବୁଦିନ ପାଇଁ ମାଆ କୋଳ ଖାଲି କରି ଅଜଣା ଦୁନିଆକୁ ଚାଲିଯାଇଛି ପୁଅ । ଋଷ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତର ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥୀବ ଶରୀର ଆଜି(ସୋମବାର) ବେଙ୍ଗାଲୁରୁରେ ପହଞ୍ଚି ସାରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବାରାଜ ବୋମାଇ ଏମବିବିଏସ ଛାତ୍ର ନବୀନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ୟୁକ୍ରେନରେ ହୋଇଥିବା ଗୁଳି ବିନିମୟରେ ନିହତ ନବୀନ ଶେଖରପ୍ପାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି କର୍ଣ୍ଣାଟକ ସିଏମ । ଏହା ଦୁର୍ଭାଗ୍ୟଜନକ ଯେ ଆମେ ନବୀନଙ୍କୁ ହରାଇଛୁ ବୋଲି କହିଛନ୍ତି ବୋମାଇ ।
ଗତ ମାର୍ଚ୍ଚ ୧ ତାରିଖରେ ୟୁକ୍ରେନ ଖାରକିଭରେ ଗୁଳି ବାଜିବା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା । ନବୀନଙ୍କ ପିତା କହିଛନ୍ତି ‘ମୋ ପୁଅ ଚିକିତ୍ସା କ୍ଷେତ୍ରରେ କିଛି ହାସଲ କରିବାକୁ ଚାହୁଁଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ତାର ସ୍ବପ୍ନ ଅଧାରେ ରହିଗଲା । ତଥାପି ଅତିକମରେ ତା ଶରୀର ଚିକିତ୍ସା କ୍ଷେତ୍ରରେ କାମରେ ଲାଗିବ । ଶରୀରକୁ ବ୍ୟବହାର କରି ଅନ୍ୟ ମେଡିକାଲ ଛାତ୍ରଛାତ୍ରୀମାନେ ନିଜ ପାଠପଢାରେ ଫୋକସ କରିପାରିବେ’ । ଚିକିତ୍ସା ଗବେଷଣା ପାଇଁ ନବୀନଙ୍କ ମରଶୀରରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାଙ୍କ ପରିବାର ।
ନବୀନଙ୍କ ପିତା ଆହୁରି କହିଛନ୍ତି ଗ୍ରାମର ବୀର ଶୈବ ପରମ୍ପରା ଅନୁସାରେ ପାର୍ଥିବ ଶରୀରର ପୂଜା କରାଯିବ । ଏହାପରେ ତାକୁ ଦେବନଗରୀସ୍ଥିତ ଏସ.ଏନ ହସ୍ପିଟାଲକୁ ଡାକ୍ତରୀୟ ଅଧ୍ୟୟନ ପାଇଁ ଦାନ କରାଯିବ । କର୍ଣ୍ଣାଟକର ହାଭେରି ଜିଲ୍ଲା ବାସିନ୍ଦା ନବୀନ । ନବୀନ ପିୟୁସିରେ 97 ପ୍ରତିଶତ ମାର୍କ ହାସଲ କରିଥିଲେ । ଏହା ସତ୍ତ୍ବେ ରାଜ୍ୟରେ ମେଡିକାଲ କଲେଜରେ ନାମଲେଖା ପାଇଁ ସୁଯୋଗ ମିଳି ନଥିଲା । ଏହି କାରଣରୁ ସେ ଯୁକ୍ରେନ ଡାକ୍ତରୀ ପଢିବାକୁ ଯାଇଥିଲେ ।
@ANI