ବାଙ୍ଗାଲୁରୁ: ବ୍ୟାପିବାରେ ଲାଗିଛି ଫିଲାଇନ ପାନଲେକୋପେନିଆ ଭାଇରସ୍ । ଚାଲିଯାଉଛି ଶହ ଶହ ବିଲେଇଙ୍କ ଜୀବନ । କର୍ଣ୍ଣାଟକର ମାଙ୍ଗାଲୋର, କଡ଼ବା ସମେତ ଦକ୍ଷିଣ କନ୍ନଡ଼ର ଅନ୍ୟ କେତେକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁ ଠାରେ ଅଳ୍ପଦିନ ଭିତରେ ପ୍ରାୟ ଶହେରୁ ଅଧିକ ବିଲେଇଙ୍କର ମୃତ୍ୟୁ ହୋଇଛି ।
ସୁଲ୍ଲିଆ ତଲୁକ ମେଡ଼ିକାଲ ଅଫିସର ଡ଼. ନନ୍ଦକୁମାରଙ୍କ କହିବା ଅନୁସାରେ, "ଏପର୍ଯ୍ୟନ୍ତ ବିଲେଇଙ୍କ ମୃତ୍ୟୁ ଘଟଣାକୁ ନେଇ ପଶୁପାଳନ ବିଭାଗ ତରଫରୁ ଆମକୁ କୌଣସି ସୂଚନା ଦିଆଯାଇନାହିଁ । ଏହାସହ କିଛି ଲୋକ ଆସି ସେମାନଙ୍କୁ ବିଲେଇ, କୁକୁର ଓ ମାଙ୍କଡ଼ କାମୁଡ଼ିଥିବା କହି ରାବିସ ଇଞ୍ଜେକସନ୍ ନେଉଛନ୍ତି । କିନ୍ତୁ ଫିଲାଇନ ପାନଲେକୋପେନିଆ ଭାଇରସ୍ର ଭୟରେ ବିଲେଇମାନଙ୍କୁ ନେଇ ଇଞ୍ଜେକସନ୍ ଦେବା ପାଇଁ ଆସୁଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ନାହିଁ ।"
ସେହିପରି ଜିଲ୍ଲା ପଶୁପାଳନ ବିଭାଗର ନିର୍ଦ୍ଦେଶକ ଅରୁଣ କୁମାର ସେଠୀ କହିଛନ୍ତି," ଫିଲାଇନ ପାନଲେକୋପେନିଆ ଭାଇରସ୍ ଦ୍ବାରା ବିଲେଇଙ୍କ ଶରୀରରେ ଥିବା ହ୍ବାଇଟ ରକ୍ତ କଣିକାକୁ ହ୍ରାସ କରିଥାଏ । ଫଳରେ ବିଲେଇର ମୃତ୍ୟୁ ହୋଇଥାଏ । ଯଦି ଗୋଟିଏ ବିଲେଇ ଅନ୍ୟ ବିଲେଇମାନଙ୍କ ସଂସ୍ପର୍ଶରେ ଆସିଲେ ତେବେ ଏହି ସଂକ୍ରମଣ ବ୍ୟାପିଥାଏ । ତେବେ ବ୍ୟାପୁଥିବା ଏହି ସଂକ୍ରମଣ ପାଇଁ ଟୀକାକରଣ ଏକମାତ୍ର ସମାଧାନ ।"
ଏହା ମଧ୍ୟ ପଢ଼ନ୍ତୁ.....ରାଜ୍ୟର ୫୫ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ ହେବ ନାଟ୍ ପଦ୍ଧତି
ରୋଗର ଲକ୍ଷଣ: ଫିଲାଇନ ପାନଲେକୋପେନିଆ ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ବିଲେଇଙ୍କ ଠାରେ ଜୋରରେ ଜ୍ବର ହେବା, ବାନ୍ତି ଏବଂ କିଛି ନଖାଇବା ଭଳି ଲକ୍ଷଣ ଦେଖାଦେଇଥାଏ । ଯଦି ବିଲେଇମାନଙ୍କ ପାଖରେ ସେଭଳି କିଛି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରି ଟୀକାକରଣ କରିବା ଉଚିତ୍ । ତେବେ ଏହି ରୋଗ ବିଲେଇ ବ୍ୟତୀତ ମଣିଷ କିମ୍ବା ଅନ୍ୟ ପଶୁଙ୍କୁ ବ୍ୟାପିନଥାଏ । ଯଦି ରୋଗରେ ଆକ୍ରାନ୍ତ ବିଲେଇ କାହାକୁ କାମୁଡ଼େ ତେବେ ତୁରନ୍ତ ଏହାର ପ୍ରତୀଶେଧକ ଟୀକା ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ତେବେ ପ୍ରାୟତଃ ମାଲିକ ମାନେ ସେମାନଙ୍କ ବିଲେଇମାନଙ୍କୁ ନେଇ ଟୀକୀକରଣ କରନ୍ତି ନାହିଁ । ବିଲେଇର ଦେହ ସମ୍ପୁର୍ଣ୍ଣ ଅସୁସ୍ଥ ହେବାପରେ ସେମାନେ ମେଡିକାଲ ଆସିଥାନ୍ତି । ତେବେ ବିଲେଇମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ସେମାନଙ୍କ ଚାଲିଚଳଣି ଓ ଖାଇବା ଉପରେ ନଜର ରଖିବା ଆବଶ୍ୟକ । ବିଲେଇମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟ୍ରିକାଟ, ଫେଲିଜେନ ଓ ଫାଲିସେଲ ଭଲି ଟୀକା ଦିଆଯିବା ଉଚିତ୍।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ