କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ଜୋରଦାର ନିର୍ବାଚନୀ ପ୍ରଚାରରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ । ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ।
ପଶ୍ଚିମବଙ୍ଗରେ ଗୋଟିଏ ପକ୍ଷେ ପ୍ରଧାନମନ୍ତ୍ରୀ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମେଗା ରାଲି କରିଛନ୍ତି ତ ଅନ୍ୟପକ୍ଷେ ସିଲିଗୁଡିରେ ମହିଳାଙ୍କ ସହ ପଦଯାତ୍ରା କିରଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ବଢି ଚାଲିଛି ନିର୍ବାଚନୀ ତାତି ।
ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିବା ବେଳେ ସିଲିଗୁଡିରେ ଗୋଟିଏ ତୀରେ ଦୁଇଟି ଟାର୍ଗେଟ କରିଛନ୍ତି ଦିଦି । ମମତା ସିଲିଗୁଡିରେ ମହିଳାଙ୍କ ସହ ପଦଯାତ୍ରା କରିବାଛନ୍ତି । ମହିଳା ଦିବସର ଗୋଟିଏ ଦିନ ପୂର୍ବରୁ ମହିଳା ଭୋଟ ହାତେଇବାକୁ ପ୍ରୟାସ କରିଛନ୍ତି ଦିଦି ।
କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ସେହିପରି ବ୍ରିଗେଡ ଗ୍ରାଉଣ୍ଡରୁ ରାଜ୍ୟର ଜନସାଧାରଣଙ୍କୁ 'ଅସୋଲ ପରିବର୍ତ୍ତନ'(ଅସଲ ପରିବର୍ତ୍ତନ)ର ପ୍ରତିଶ୍ରୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବଙ୍ଗଳାର ବିକାଶ, ନୀତିରେ ପରିବର୍ତ୍ତନ, ନିବେଶ ବୃଦ୍ଧି, ସଂସ୍କୃତି ଏହାର ପରମ୍ପରାର ସୁରକ୍ଷାର ବିଶ୍ବାସ ଦେଇଛନ୍ତି ମୋଦି । ଅସଲ ପରିବର୍ତ୍ତନର ମନ୍ତ୍ର ଏହାର ପ୍ରେରଣ ଓ ପରିଶ୍ରମର ଆଧାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ଦିଦି ମଧ୍ୟ ପଛ ଘୁଞ୍ଚା ନଦେଇ କେନ୍ଦ୍ର ସରକାରଙ୍କୁ କରିଛନ୍ତି କଡା ଟାର୍ଗେଟ । ମମତା କହିଛନ୍ତି ପେଟ୍ରୋଲ ଡିଜେଲ ଓ ଏଲପିଜିର ଦରବୃଦ୍ଧି କାହିଁକି ହେଉଛି ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେବାକୁ ପଡିବ । ମମତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗ ରାଜନୈତିକ ପରିବର୍ତ୍ତନର ସାକ୍ଷୀ ରହିବ । ହେଲେ ସେପଟେ ଦିଲ୍ଲୀ କ୍ଷମତାରେ ପରିବର୍ତ୍ତନ ହେବ ବୋଲି ଜୋର ଦେଇ କହିଛନ୍ତି ଦିଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ