ପାଟନା: ବିହାରରେ ଲୋମହର୍ଷଣକାରୀ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଲେ ଯୌନ ପିପାସୁ । ହତ୍ୟା କରି ଆମ୍ବ ଗଛରେ ଟାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି । ବିହାରର ପର୍ନିଆରେ ଏହି ବର୍ବର କାଣ୍ଡ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 48 ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ବିଫଳ ରହିଛି ପୋଲିସ ।
ସୂଚନା ଅନୁସାରେ, ଗତ 2 ଦିନ ପୂର୍ବରୁ ଏକ ଆମ୍ବ ଗଛରେ 14 ବର୍ଷୀୟ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁର୍ନିଆର ଅମୋର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଅମୋର ଥାନା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ: ଗାଁ ନିକଟ ଏକ କ୍ଷେତ ଠାରୁ 500 ମିଟର ଦୂରରେ ରହିଥିବା ଏକ ଆମ୍ବ ଗଛରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହାଦେଖି ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଓଢଣୀରେ ଏକ ଆମ୍ବ ଗଛରେ ଟାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ତେବେ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହିତ ପୋଲିସକୁ ଖବର ଦେଇଥିଲେ । ଏନେଇ ପରିବାର ଲୋକେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ତେବେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ନାବାଳିକା ଜଣକ ପ୍ରଥମେ ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି କରାଯିବା ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ତେବେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଆମ୍ବ ଗଛରେ ଟାଙ୍ଗି ଦେଇଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ 48 ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତର ଟେର ପାଇପାରିନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ