ଲକ୍ଷ୍ନୌ: ହଜିଗଲା ମୋବାଇଲ ଫୋନ, ଖୋଜିବାରେ ବିଫଳ ହେଲା ପୁଅ । ଶେଷରେ ପୁଅର ଗଳାକାଟି ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଆଲାୱାଲପୁର ମାଡାୟା ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ହତ୍ୟାକାଣ୍ଡ ଘଟାଇଥିବା ବାପାକୁ ପୋଲିସ ଗିରଫ କରିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ମିଥୁନ ବାଥମ ।
ମିଳିଥିବା ସୂଚନା ଅନୁଯାୟୀ ମାଦିଆ ଗ୍ରାମର ମୁକେଶ ବାଥମ ଗତ ମଙ୍ଗଳବାର ମଦ୍ୟପାନ କରି ଘରକୁ ଫେରିଥିଲେ । ନିଶାସକ୍ତ ଅବସ୍ଥାରେ ସେ ମୋବାଇଲ ଫୋନକୁ କେଉଁ ଆଡେ ହଜାଇ ଦେଇଥିଲେ । ଏନେଇ ସେ ପୁଅ ମିଥୁନ ବାଥମକୁ ଖୋଜିବାକୁ କହିଥିଲେ । କିନ୍ତୁ ସେ ମୋବାଇଲ ଖୋଜିବାରେ ବିଫଳ ହେବାରୁ ତାଙ୍କ ବାପା ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ସମୟରେ ମିଥୁନଙ୍କ ୪ବର୍ଷର ଭଉଣୀ ଉପସ୍ଥିତ ଥିବାବେଳେ ଏହା ଦେଖି ସେ କାନ୍ଦିବା ଆରମ୍ଭ କରିଥିଲେ ।
ଏହାପରେ ତାଙ୍କର ଜେଜେ ବାପା ଘଟଣାସ୍ଥଳରେ ପହଞ୍ଚି ଦେଖିବାବେଳେ ହତ୍ୟାକାରୀ ମୁକେଶ ଫେରାର ହୋଇଯାଇଥିଲେ । ଏନେଇ ଜେଜେ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମୁକେଶ ଜଣେ ମଦ୍ୟପ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ତାଙ୍କର ୬ଜଣ ପିଲାଙ୍କ ମଧ୍ୟରୁ ୪ଜଣଙ୍କୁ ନେଇ ପଞ୍ଜାବରେ ରହୁଛନ୍ତି । ମିଥୁନ ଏବଂ ପଲକ ନିଜ ପିତାଙ୍କ ସହିତ ରହିଆସୁଥିଲେ ।