ହାଇଦ୍ରାବାଦ: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବାଲା ସାହେବ ଶିବସେନା ନେତା ଉଦ୍ଧବ ଠାକରେ ଏବଂ ବଞ୍ଚିତ ବହୁଜନ ଅଗଡି ନେତା ପ୍ରକାଶ ଆମ୍ବେଦକର ମେଣ୍ଟ କରିବେ । ଆଜି ଏନେଇ ଦୁହେଁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ରାଜନୀତି ଏବେ ବୈଚାରିକ ଭାବରେ ପ୍ରଦୂଷିତ ହେବାରେ ଲାଗିଛି । ତେଣୁ ସେମାନେ ଏକ ମେଣ୍ଟ କରିବାକୁ ଯାଉଥିବା ଉଭୟ ନେତା ସ୍ପଷ୍ଟ କରିଛନ୍ତି ।
ଆଜି ମୁମ୍ବାଇରେ ଉଭୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଉଦ୍ଧବ କହିଥିଲେ ମହାରାଷ୍ଟ୍ର ରାଜନୀତିରେ ଏବେ ଆଦର୍ଶବାଦ ପ୍ରଦୂଷଣ ହେବାରେ ଲାଗିଛି । ତେଣୁ ଗଣତନ୍ତ୍ରକୁ ବଞ୍ଚାଇବା ଜରୁରୀ ହୋଇପଡିଛି । ସେମାନେ ଏକ ପ୍ରଗତିଶୀଳ ମିଳିତ ମଞ୍ଚ ଗଠନ କରିବା ଦିଗରେ ଆଗକୁ ବଢୁଛନ୍ତି । ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜନୀତିରେ ଏକ ଖରାପ ପରମ୍ପରା ଜାରି ରହିଛି । କିଛି କ୍ଷେତ୍ରକୁ ସାଧାରଣ ଜନତାଙ୍କୁ ହସ୍ତାନ୍ତର କରାଯିବା ଉଚିତ୍ । ସେହିପରି ରାଜନୀତିରେ କିଛି ନୂଆ ନୂତନ ଜିନିଷ ମଧ୍ୟ ସାମିଲ ହେବା ଉଚିତ । ବର୍ତ୍ତମାନ ଦେଶରେ ପୁଞ୍ଜିବାଦର ଶାସନ ଚାଲିଛି । ଦିନେ ମୋଦିଙ୍କ ନେତୃତ୍ୱ ଶେଷ ହେବ ବୋଲି ମଧ୍ୟ ଉଦ୍ଧବ କହିଥିଲେ । ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ଗଣତନ୍ତ୍ରକୁ ବଞ୍ଚିଇବା ସେମାନେ ମେଣ୍ଟ କରୁଛନ୍ତି । ସେହିପରି ସେ ନାଁ ନନେଇ ମହାରାଷ୍ଟ୍ର ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଉପରେ ପରୋକ୍ଷ ଆକ୍ରମଣ କରିଛନ୍ତି ଉଦ୍ଧବ । ସେ କହିଛନ୍ତି ବର୍ତ୍ତମାନ ଦେଶ ସ୍ବେଚ୍ଛାଚାରିତା ଆଡକୁ ବଢିବାରେ ଲାଗିଛି ।
ମହାବିକାଶ ଅଗାଡି ମେଣ୍ଟ ସରକାରରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ଥିଲେ । ଦଳୀୟ କନ୍ଦଳ ପରେ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । ଏହାସହ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦଙ୍କ ଗୋଷ୍ଠୀ ଉଦ୍ଧବ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନିଜକୁ ଏକ ସ୍ବତନ୍ତ୍ର ଦଳ ଘୋଷଣା କରିଥିଲା । ଏକନାଥ ସିନ୍ଦେ ବିଜେପି ସହଯୋଗରେ ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ହେଲେ । ଶିବସେନା ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି । ତେବେ ଦୀର୍ଘ ଦିନରେ ସାମ୍ବିଧାନିକ ସଙ୍କଟ ପରେ ମହାରାଷ୍ଟରେ ସିନ୍ଦେ ସରକାର ଗଠନ ହୋଇଥିଲା । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ