ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (MCD) ନିର୍ବାଚନର ଫଳାଫଳ (MCD Election Results) ଆଜି(ବୁଧବାର) ଆସିବ । ଗତ 4 ତାରିଖରେ ହୋଇଥିବା ମତଦାନରେ 50 ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । MCD ରେ 250 ୱାର୍ଡ ଥିବା ବେଳେ ମୋଟ 1 ହଜାର 349 ପ୍ରାର୍ଥୀ ମୈଦାନରେ ରହିଛନ୍ତି । ନିର୍ବାଚନ ବିଜେପି, ଆମ ଆଦାମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହୋଇଛି । ସବୁ ଦଳ ନିଜ ନିଜ ବିଜୟ ନେଇ ଦାବି କରିଛନ୍ତି ।
ଆମ ଆଦମୀ ପାର୍ଟି(AAP) ପାଇଁ MCD ନିର୍ବାଚନ ବେଶ ଗୁରୁତ୍ବ ବହନ କରୁଛି । କାରଣ ଦଳ ଆଗାମୀ 2024 ନିର୍ବାଚନ ପୂର୍ବରୁ ସାରା ଦେଶରେ ଦଳକୁ ବିସ୍ତାର କରିବା ପାଇଁ ରଣନୀତିରେ କାମ କରୁଛି । MCD ଫଳାଫଳକୁ ଦଳ ବଡ ମୁଦ୍ଦା କରି ସାରା ଦେଶରେ ସଂଗଠନର ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ କରିବ । ଏଥିପାଇଁ ଶକ୍ତିଶାଳୀ ବିଜେପିକୁ MCD ନିର୍ବାଚନରେ କଡା ଟକ୍କର ଦେଇଛି ଆମ ଆଦମୀ ପାର୍ଟି ।
ସେପଟେ ଦୀର୍ଘ 15 ବର୍ଷ ଧରି ଦିଲ୍ଲୀ ମହାନଗର ନିଗମକୁ ଦଖଲରେ ରଖିଥିବା ବିଜେପି ପାଇଁ ମଧ୍ୟ ଏହି ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ । 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଠାରୁ ପରାଜୟ ପରେ ଦିଲ୍ଲୀ ଶାସନରେ କୌଣସି ମତେ ସ୍ଥିତି ଜାହିର ପାଇଁ ବିଜେପି MCD ଜିତିବା ପାଇଁ ଚାହୁଁଛି । ଦିଲ୍ଲୀରେ ଆପ ପ୍ରଭାବକୁ ପ୍ରତିହତ କରିବା ପାଇଁ ଦଳ ଏକାଧିକ ରଣନୀତିରେ କାମ କରୁଛି । ଏପରିକି MCD ବିଜୟ ପାଇଁ ବିଜେପି 19 ଜଣ କେନ୍ଦ୍ରମନ୍ତ୍ରୀ ଓ 6 ଜଣ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଚାରରେ ଲଗାଇଥିଲା । ଏହାସତ୍ତ୍ବେ ବିଜେପି ହାତରୁ MCD ଖସିଯାଇପାରେ ବୋଲି ଏକଜିଟ ପୋଲ ଆକଳନ କରିଛନ୍ତି ।
ଆପ MCD ଜିତିଲେ ପୁରା ଦିଲ୍ଲୀର ରାସ୍ତା, ଭିତ୍ତିଭୂମି, ପାର୍କିଂ, ପାର୍କ, ସମେତ ସମସ୍ତ ମୌଳିକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛି । ବିଜେପି ମଧ୍ୟ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ, ସ୍ବଚ୍ଛ ଶାସନ କେନ୍ଦ୍ର ସରକାରଙ୍କ ବିକାଶ, ଅତ୍ୟାଧୁନିକ ସେବା ମୌଳିକ ସେବାର ସମାଧାନ ପାଇଁ ପ୍ରତିଶୃତି ଦେଇଛି ।
ଦିଲ୍ଲୀ ମହାନଗର 2012-2022 ଯାଏଁ 3 ଟି ମହାନଗରରେ ବିଭକ୍ତ ଥିଲା । ଏଥିରେ ମୋଟ 272 ୱାର୍ଡ ଥିଲା । ଉତ୍ତର ଦିଲ୍ଲୀ ନଗର ନିଗମ(NDMC) ଦକ୍ଷିଣ ଦିଲ୍ଲୀ ନଗର ନିଗମ(SDMC) ଓ ପୂର୍ବ ଦିଲ୍ଲୀ ମହାନଗର ନିଗମ (EDMC) । ଗତ ବର୍ଷ କେନ୍ଦ୍ର ସରକାର ଲୋକସଭାରେ ଦିଲ୍ଲୀ ମହାନଗର ପୁନର୍ଗଠନ ବିଲ ଆଣିଥିଲେ । 3ଟି ମହାନଗର ନିଗମକୁ ଏକତ୍ରିତ କରି ଦିଲ୍ଲୀ ମହାନଗର ନିଗମ (MCD) କରାଯାଇଥିଲା । ଆଉ ଏହାର ୱାର୍ଡ ସଂଖ୍ୟା 250କୁ ଖସି ଆସିଥିଲା । ସୂଚନାଯୋଗ୍ୟଯେ 1958 ରେ ଦିଲ୍ଲୀ ନଗର ନିଗମ ସ୍ଥାପିତ ହୋଇଥିଲା ।