ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି AIMIM ସହ ସାମିଲ ହେବା ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଅସ୍ୱୀକାର କରିବା ସହ ଏହାକୁ ବିଭ୍ରାନ୍ତିକର ଏବଂ ତଥ୍ୟହୀନ ବୋଲି କହିଛନ୍ତି । ଏଥିସହ 2022 ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମାୟାବତୀ ଏକା ଲଢିବେ ବୋଲି ଘୋଷଣା କରିଛନ୍ତି ।
ମାୟାବତୀ ଟ୍ୱିଟ୍ କରି କରିଛନ୍ତି ଯେ ବିଏସପି କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏବଂ ପଞ୍ଜାବ ବ୍ୟତୀତ ଆସନ୍ତା ବର୍ଷ ଆରମ୍ଭରେ ୟୁପି ଏବଂ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭାରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବ । ଏହା ସହିତ ବିଏସପି ସୁପ୍ରିମୋ ମାୟାବତୀ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ବିଏସପି ମିଡିଆ ସେଲର ଜାତୀୟ ସଂଯୋଜକ ଭାବରେ ନିଯୁକ୍ତ କରିଛନ୍ତି ଏବଂ ଗଣମାଧ୍ୟମରେ ଚାଲିଥିବା ମିଥ୍ୟା ତଥା ବିଭ୍ରାନ୍ତିକର ଖବର ଉପରେ ନଜର ରଖିବା ଦାୟିତ୍ବ ଦେଇଛନ୍ତି ।
ଏହା ସହ ମାୟାବତୀ ବହୁଜନ ସମାଜ ପାର୍ଟି ଏବଂ ଦଳର ଜାତୀୟ ସଭାପତି ଇତ୍ୟାଦି ବିଷୟରେ ବିଭ୍ରାନ୍ତିକର କିମ୍ବା ମିଥ୍ୟା ଖବର ଲେଖିବା, ଦେଖାଇବା ଏବଂ ପ୍ରକାଶନ କରିବା ପୂର୍ବରୁ ସତୀଶ ଚନ୍ଦ୍ର ମିଶ୍ରଙ୍କଠାରୁ ସଠିକ୍ ସୂଚନା ପାଇବା ପାଇଁ ଗଣମାଧ୍ୟମକୁ ନିବେଦନ କରିଛନ୍ତି ।
ତେବେ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥି ପାଇଁ ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଛି । ଏହି ସମୟରେ, ବିହାର ଏବଂ ବେଙ୍ଗଲ ପରେ ୟୁପିରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିବା ଅସଦୁଦ୍ଦିନ ଓୱେସୀଙ୍କ(AIMIM) ଏବଂ ବିଏସପି ମଧ୍ୟରେ ଏକ ମିଳିତ ମଞ୍ଚକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା । ଯାହା ମାୟାବତୀ ଏବେ ଖଣ୍ଡନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ