ପାନାଜୀ: ପର୍ଯ୍ୟଟନ ପାଇଁ ସମଗ୍ର ଦେଶ ଓ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ-ପଶ୍ଚିମ କ୍ଷୁଦ୍ର ରାଜ୍ୟ ଗୋଆରେ ସଂଗଠିତ ହେଉଥିବା ଅଧିକାଂଶ ଅପରାଧ ପଛରେ ରହିଛନ୍ତି ପ୍ରବାସୀ ଶ୍ରମିକ । ଏପରି ଏକ ତଥ୍ୟ ପୋଲିସ ବିଭାଗ ରେକର୍ଡରୁ ସାମ୍ନାକୁ ଆସିବା ପରେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି ଗୋଆ ସରକାର । ଗୋଆରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବା ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ରାଜ୍ୟ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ରାଜଧାନୀ ପାନାଜୀରେ ଆୟୋଜିତ ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ, ଗୋଆରେ କାର୍ଯ୍ୟରତ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମ କାର୍ଡ ଲାଗୁ କରିବା ପାଇଁ କହିଛନ୍ତି । ଗୋଆରେ ଏବେ କାର୍ଯ୍ୟ କରିବାକୁ ହେଲେ ପ୍ରବାସୀ ଶ୍ରମିକଙ୍କୁ ଏହି କାର୍ଡ ହିତାଧିକାରୀ ହେବାକୁ ପଡିବ । ଶ୍ରମ ବିଭାଗର କାର୍ଯ୍ୟାଳୟରେ ଶ୍ରମିକମାନେ ଏଥିରେ ପଞ୍ଜୀକରଣ କରାଇ ଏହି କାର୍ଡ ପାଇପାରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି,"ଏପରି କରିବା ଦିଗରେ ରାଜ୍ୟ ସରକାର ବଜେଟ ସମୟରେ ଘୋଷଣା କରିଥିଲେ । ଗୋଆରେ କାମ କରୁଥିବା ଶ୍ରମିକମାନେ କୌଣସି ଅପରାଧିକ କାର୍ଯ୍ୟକଳାପ ଘଟାଇ ନିଜ ଗୃହ ରାଜ୍ୟକୁ ପଳାଉଛନ୍ତି । ସେପରି ସ୍ଥିତିରେ ସେମାନଙ୍କୁ ଚିହ୍ନଟ କରିବା କିମ୍ବା ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେଉନାହିଁ । ଗୋଆରେ ଘଟୁଥିବା ଅପରାଧର 90 ପ୍ରତିଶତ ପ୍ରବାସୀ ଶ୍ରମିକଙ୍କ ଦ୍ବାରା ହେଉଥିବା ପୋଲିସ ରେକର୍ଡ କହୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପ୍ରଦେଶ ଓ ବିହାର ଓ ଅନ୍ୟ କେତେକ ରାଜ୍ୟର । ଏହି ରେକର୍ଡକୁ ସବିଶେଷ ଅନୁଧ୍ୟାନ କରାଯାଉଛି ।"
ଏପରି ପଞ୍ଜୀକରଣ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ସଠିକ ତଥ୍ୟ ରଖିହେବ । ଗୋଆ ଶ୍ରମ ବିଭାଗ ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବ । ଗୋଆରେ କୌଣସି ପ୍ରକାର କାର୍ଯ୍ୟରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଠିକାଦାର କିମ୍ବା ଠିକା ସଂସ୍ଥା ସେମାନଙ୍କର ଶ୍ରମିକଙ୍କ ପଞ୍ଜୀକରଣ କରିବେ ଅର୍ଥାତ ପଞ୍ଜୀକୃତ ଶ୍ରମିକଙ୍କୁ ହିଁ କୌଣସି କାର୍ଯ୍ୟରେ ନିୟୋଜିତ କରାଇବେ । ଏଥିରେ ଖଲାପ ହେଉଥିବା ନଜରକୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ସେହିପରି ନିକଟରେ ଅପରାଧ ଘଟାଇବା ପରେ ଗୋଆରୁ ଫେରାର ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ